
ପୁରୀ,୦୩/୦୫(ବଳରାମ ତ୍ରିପାଠି ରିପୋର୍ଟ ): ଶ୍ରୀନୃସିଂହ ଜନ୍ମ ଠାରୁ ଚଳଚଞ୍ଚଳ ରଥ ଖଳା । ଶୁକ୍ରବାର ସିଙ୍ଗଡ଼ା ବାଡ଼ିଆ ଅନୁକୂଳ କଲେ ଭୋଇ । ଏବେ ଚକ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ନିର୍ମାଣକାରୀ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଖୋଳାଯାଇଥିବା ଯନ୍ତା ଗାଡ଼ରେ ପକାଇ କୋରା ମୁଣ୍ଡା (କାଠ ହାତୁଡ଼ି)ରେ ମାଡ଼ କରି ତୁମ୍ବ ସହିତ ଅର ସଂଯୁକ୍ତ କରିବାକୁ କୁହାଯାଏ ସିଙ୍ଗଡ଼ା ବାଡ଼ିଆ । ଠାକୁରଙ୍କ ମାଳ ମାହାର୍ଦ୍ଦ ଓ ଶ୍ରୀଫଳ ଲାଗି କରି ଠାକୁରଙ୍କ ଭୋଇ ସେବକମାନେ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଶନିବାର ସିଙ୍ଗଡ଼ାରେ ପନ୍ଦାରି ଅନୁକୂଳ କରିଛନ୍ତି କମାର ସେବକ ।ଶନିବାର ଅପରାହ୍ଣରେ ପହି କାଠ ରଥ ଖଳାରେ ପହଞ୍ଚିଛି । ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି, ରଥ ତ୍ରୟର ନାହାକା ଚକରୁ ଆରମ୍ଭ ହେଲା ସିଙ୍ଗଡ଼ା ବାଡ଼ିଆ । ପୂର୍ବରୁ କୋରା ମୁଣ୍ଡା ପ୍ରସ୍ତୁତ ଥିଲା । ବିଶ୍ୱକର୍ମାମାନେ ତୁମ୍ବରେ ବିନ୍ଧ ଓ ଅର ସବୁ କାଟି ରଖିଥିଲେ । ୪୦ ଫୁଟିଆ ଯନ୍ତା ଗାଡ଼ ନିକଟରେ ଫାସୀ କାଠ ଗଣ୍ଡି ପୋତା ଯାଇଥିଲା । ତୁମ୍ବ ବିନ୍ଧରେ ଅରକୁ ଭୁଞ୍ଜାଗଲା ପରେ କାଠ ଗଣ୍ଡି ଉପରେ ଠିଆ ହୋଇ କୋରା ମୁଣ୍ଡା ସାହଯ୍ୟରେ ଅରର ଅନ୍ୟ ମୁଣ୍ଡକୁ ଶକ୍ତ ପ୍ରହାର ଦିଆଯାଇଥିଲା । କମାର ସେବକ ଦେଇଥିବା ଅର କଣ୍ଟା ସେଥିରେ ବାଡ଼ିଆ ଯାଇଥିଲା । ଅଦ୍ୟାବଧି ୭ଟି ସିଙ୍ଗଡ଼ା ପ୍ରସ୍ତୁତ ସରିଥିବା କହିଛନ୍ତି ସର୍ଦ୍ଦାର ରବି । କଟକ ଖପୁରିଆ କରତକଳରୁ କାଠ ଚିରା ହୋଇ ଶନିବାର ଅପରାହ୍ଣରେ ୯୦ ଖଣ୍ଡ ପହି କାଠ ପହଞ୍ଚିଛି । ମୁଖ୍ୟ ବିଶ୍ୱକର୍ମାମାନେ ପଇବକଳା ଅନୁକୂଳ କରିଛନ୍ତି । ଏଥିସହ ପଇରେ ବିନ୍ଧ ପାଇଁ ଚିହ୍ନ ଦିଆଯାଇଛି । ଜିଲ୍ଲାପାଳ ରଥ ଖଳାରେ ପହଞ୍ଚି ନିର୍ମାଣକାରୀଙ୍କ ସହ ଆଲୋଚନା କରିଛନ୍ତି ।ଏପଟେ ରଥ ଖଳାରେ ଚକର ବିଭିନ୍ନ ଅଂଶ ପ୍ରସ୍ତୁତି ସହ ଗୁଜ କାର୍ଯ୍ୟ ଚାଲିଛି । ରୂପକାର ସେବକମାନେ ରଥ ଗୁଜରେ ନୃସିଂହ ରୂପ ଖୋଦେଇ କରୁଛନ୍ତି । ବିଶ୍ୱକର୍ମାମାନେ ତିନି ରଥ ପାଇଁ ଆବଶ୍ୟକ ଗୁଜ ଚଉପଟ କାର୍ଯ୍ୟ ଶେଷ କରି ଜଳଯନ୍ତ୍ର ଓ କୁଡ଼ୁକା ନିର୍ମାଣ କାର୍ଯ୍ୟ ସାରୁଛନ୍ତି । ଜଳଯନ୍ତ୍ରରେ ରଥର ପାର୍ଶ୍ବ ଦେବତା ସ୍ଥାପନ ହେବେ। ଯନ୍ତା ପଟାରେ ତିନିଟି ଲେଖାଁଏ ବିନ୍ଧ ହୋଇଛି । ଯନ୍ତା ପଟା ସାହାର୍ଯ୍ୟରେ ଅରରେ ପହି ପିନ୍ଧା କାର୍ଯ୍ୟ ହେବ । ଚକ ତିଆରି ପାଇଁ ଅର ମୁଖ ସାଲ କରାଯାଉଛି । ଦୋଳବେଦୀସ୍ଥିତ କମାର ଶାଳରେ ଓଝା ସେବକମାନେ ଆବଶ୍ୟକୀୟ ବଳା ତଥା ପନ୍ଦାରି ନିର୍ମାଣ ଜାରି ରଖିଛନ୍ତି । ଭଉଁରୀ ଉତ୍ସବରେ ରଥ ଚକ ସହ ଅଖ ସଂଯୋଗ ହେବ ।(ବଳରାମ ତ୍ରିପାଠି ରିପୋର୍ଟ )