କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟାଗ୍ରହ

କୋଦଳା ୦୫/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ଯବସ୍ଥାକୁ ନେଇ କୋଦଳା ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ମେଡିକାଲ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ମଞ୍ଚ ଆବାହକ ଦଣ୍ଡପାଣି ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ସତ୍ୟାଗ୍ରହରେ କୋଦଳା ବରିଷ୍ଠ ନାଗରିକ ମଞ୍ଚ, ଗଣେଶ ଯୁବକ ସଙ୍ଘ, ସ୍ଥାନୀୟ ବୁଦ୍ଧିଜିବୀ , ଆଇନଜିବୀ , ସାମ୍ବାଦିକ ମାନେ ଯୋଗଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ ଚରମ ଅବହେଳାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଦୃଢ ପ୍ରତିବାଦ କରିଛନ୍ତି।କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ ପୁରାତନ ହସ୍ପିଟାଲ ହୋଇଥିବା ବେଳେ ଏଠାରେ ସ୍ଥାୟୀ ଡାକ୍ତର ଓ କର୍ମଚାରୀ ନାହାନ୍ତି। ବିଭିନ୍ନ ବିଭାଗରେ ପ୍ରାୟ ୮୦ ପ୍ରତିଶତ ପଦବୀ ଖାଲିପଡିଛି। ଅତ୍ୟାଧୁନିକ ଯନ୍ତ୍ରପାତି ଥାଇ ସୁଦ୍ଧା ଅପରେଟର ନଥିବାରୁ କାମରେ ଆସୁନି । ପୂର୍ବ ସରକାର ଅମଳରୁ ୩୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ସୁଦ୍ଧା ବର୍ତମାନ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ସେ କର୍ଣ୍ଣପାତ କରୁ ନାହାନ୍ତି। ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କୋଦଳା ଗସ୍ତରେ ଆସିଥିବା ବେଳେ ତାଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନି। ଏ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ସ୍ୱାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ ଆଜି ସତ୍ୟାଗ୍ରହ କରାଯାଇଥିବା ବେଳେ ସମାଧାନ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ସତ୍ୟାଗ୍ରହ ସ୍ଥଳରେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଇନଚାର୍ଜର ଡାକ୍ତର ପ୍ରତୀକ ଦାସ ପହଞ୍ଚି ଦାବିପତ୍ର ଗ୍ରହଣ କରି ୨ ମାସ ମଧ୍ୟରେ ସମାସ୍ଯାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।