ପାଠପଢା ବହିକୁ ନେଇ ଅଭାବନୀୟ ପରିସ୍ଥିତି, ଗ୍ରୀଷ୍ମ ଅବକାଶ ହେଲା, କିନ୍ତୁ ଛାତ୍ରଛାତ୍ରୀଙ୍କୁ ସବୁ ବହି ମିଳିଲାନି

ବୁଗୁଡ଼ା,୦୫/୦୫(ସୋରେନ କୁମାର ପ୍ରଧାନ): ପାଠ୍ୟପୁସ୍ତକ ଯୋଗାଣକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଗ୍ରୀଷ୍ମ ଅବକାଶ ହୋଇଯାଇଛି, କିନ୍ତୁ ପିଲାଙ୍କୁ ସମସ୍ତ ପାଠ୍ୟପୁସ୍ତକ ମିଳିନାହଁ । ନବମ ଏବଂ ଦଶମ ଶ୍ରେଣୀକୁ ଛାଡ଼ିଦେଲେ ଶିଶୁବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବହିକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସମସ୍ତ ବହି ଆସି ନଥିବାବେଳେ ଯାହା ଆସିଛି ତାହା ପୁଣି ଚାଳିଶ ପ୍ରତିଶତ ପିଲାଙ୍କୁ ହିଁ ଯୋଗାଇବା ସମ୍ଭବ ହୋଇପାରିଛି । ଯାହା ଫଳରେ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ସୂଚନା ଅନୁସାରେ ଦ୍ବିତୀୟ ଶ୍ରେଣୀର ଗଣିତ, ଚତୁର୍ଥ ଶ୍ରେଣୀର ଇଂରାଜୀ , ପଞ୍ଚମ ଶ୍ରେଣୀର ସାହିତ୍ୟ, ଗଣିତ, ଇଂରାଜୀ ଓ ପରିବେଶବିଜ୍ଞାନ, ଷଷ୍ଠଶ୍ରେଣୀର ଗଣିତ, ବିଜ୍ଞାନ ଓ ସଂସ୍କୃତ ,ସପ୍ତମ ଶ୍ରେଣୀର ବିଜ୍ଞାନ ଓ ହିନ୍ଦି, ଅଷ୍ଟମ ଶ୍ରେଣୀର ଇଂରାଜୀ ଓ ସଂସ୍କୃତ ବହି ଆଦୌ ଆସିନାହିଁ। ଅନ୍ୟପକ୍ଷରେ ଘରୋଇ ବିଦ୍ୟାଳୟଗୁଡ଼ିକରେ ଅଧ୍ଯୟନରତ ଛାତ୍ରଛାତ୍ରୀଙ୍କ ପାଖରେ ଖଣ୍ଡିଏ ବି ସରକାରୀ ପାଠ୍ୟପୁସ୍ତକ ନାହିଁ। ତେଣୁକରି ପିଲାମାନେ ପାଠ୍ୟପୁସ୍ତକ ନ ପାଇ ହାତବାନ୍ଧି ବସିଛନ୍ତି। ଚଳିତ ବର୍ଷ ଶିଶୁବାଟିକାଠାରୁ ଅଷ୍ଟମ ପର୍ଯ୍ୟନ୍ତ ନୂତନ ସିଲାବସ ହୋଇଥିବା ଯୋଗୁଁ ବଜାରରେ ମଧ୍ୟ ବହି କିମ୍ବା ସମସ୍ତ ବିଷୟର ସହାୟକ ପୁସ୍ତକ ଉପଲବ୍ଧ ନାହିଁ। ଅନ୍ଯପକ୍ଷରେ ମେ’ ମାସ ପୂର୍ବରୁ ସ୍କୁଲ ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋଇଯାଇଥିବାବେଳେ ଦେଢ଼ମାସରୁ ଅଧିକ ସମୟ ଛୁଟିରେ ପିଲାଏ ବିନା ବହିରେ କ’ଣ କରିବେ ବୋଲି ସାଧାରଣରେ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ, ଏହି ଗ୍ରୀଷ୍ମ ଅବକାଶ ମଧ୍ୟରେ ପିଲାଙ୍କୁ ଯଥାଶୀଘ୍ର ପାଠ୍ୟପୁସ୍ତକ ଯୋଗାଣ ପାଇଁ ଅଭିଭାବକ ମହଲରେ ଦାବି ହେଉଛି।