ଓଡିଶା ଟୁଡ଼େର ମହାପ୍ରଭାବ: ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ, ଆରମ୍ଭ ହେଲା ତଦନ୍ତ

ଚୌଦ୍ୱାର (ଶିବବ୍ରତ ଦାସ ): ଓଡିଶା ଟୁଡ଼େ ଖବର କାଗଜ, ୱେବ ପୋର୍ଟାଲ ଏବଂ ଓଡିଶା ଟୁଡ଼େ ଚ୍ୟାନେଲ ରେ ପ୍ରକାଶିତ ଖବରର ପ୍ରଭାବ ଏବେ ସ୍ପଷ୍ଟ ଭାବେ ଦେଖାଦେଇଛି। ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ବଇଁଚୁଆ ରାଜସ୍ୱ ନିରୀକ୍ଷକଙ୍କ ଅଧୀନ କହ୍ନେଇପୁର ମୌଜାରେ ସରକାରୀ ଜମିକୁ ଜବରଦଖଲ କରିବା ଘଟଣା ନେଇ ଦୁଇଥର ଖବର ପ୍ରକାଶ ପରେ, ଶେଷରେ ତହସିଲ ପ୍ରଶାସନର ନିଦ୍ରା ଭାଙ୍ଗିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତହସିଲ ପ୍ରଶାସନ ଓ ଟାଙ୍ଗୀ ପୋଲିସ ସଂଯୁକ୍ତ ଭାବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ସମୟରେ ଜବରଦଖଲ ଅଭିଯୋଗରେ ଜଡିତ ଦୁଇ ମହିଳାଙ୍କୁ ନୋଟିସ୍ ଜାରି ହୋଇଥିବା କଥା ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତଥାପି, ଗ୍ରାମବାସୀଙ୍କ ମନରେ ଏଯାଏ ଅନେକ ପ୍ରଶ୍ନ ଉଠୁଛି। କେବଳ ନୋଟିସ୍ ଜାରି କରି ପ୍ରଶାସନ ତାଙ୍କର କର୍ତ୍ତବ୍ୟ ସମାପ୍ତ କରିଦେବ, ନା ବେଆଇନ ଭାବେ ହୋଇଥିବା ନିର୍ମାଣକୁ ସମ୍ପୂର୍ଣ୍ଣ ଭାବେ ଭଞ୍ଜନ କରି ସରକାରୀ ଜମିକୁ ମୁକ୍ତ କରାଯିବ—ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯଦି ଏହି ମାମଲାରେ କଠୋର ପଦକ୍ଷେପ ନିଆ ନଯାଏ, ତେବେ ଆଗାମୀ ଦିନରେ ଜବରଦଖଲ କାରୀଙ୍କ ହୃଷ୍ଟପୃଷ୍ଟ ମନୋଭାବକୁ ଆହୁରି ଉତ୍ସାହ ମିଳିବ। ସରକାରୀ ଜମି ରକ୍ଷା ପାଇଁ ପ୍ରଶାସନର କଠୋର ମନୋଭାବ ଓ ତତ୍କାଳ କାର୍ଯ୍ୟନୁଷ୍ଠାନ ଅତ୍ୟାବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।
ଏହି ପରିସ୍ଥିତିରେ, ମୋହନ ସରକାରଙ୍କ ଦୃଷ୍ଟି ଏହି ଘଟଣା ଉପରେ ପଡ଼ିବ କି? ସରକାରୀ ଜମିକୁ ଅବୈଧ ଦଖଲରୁ ମୁକ୍ତ କରିବା ପାଇଁ କଠୋର ଅଭିଯାନ ଆରମ୍ଭ ହେବ କି? ସେଥିପାଇଁ ସମସ୍ତଙ୍କ ନଜର ଏବେ ପ୍ରଶାସନ ଉପରେ ଅଟକି ରହିଛି।