
ଭଞ୍ଜନଗର,୦୭/୦୫ 🙁 ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ମୁଦୁଲିପଲ୍ଲୀରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବିଜୟ ବିଶୋୟୀଙ୍କ ପତ୍ନୀ ଶୈଳ ବିଷୋୟୀ(୬୫) ଏବଂ ବୋହୂ ସନ୍ତୋଷିନୀ ବିଷୋୟୀ(୩୫)। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ପ୍ରକାରେ, ସକାଳ ସମୟରେ ଖରା ହୋଇଥିବା ବେଳେ ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଝଡ଼ ତୋଫାନ ସହ ବର୍ଷା ହୋଇଥିଲା। ଉଭୟ ଶାଶୁ ବୋହୂ ପ୍ରତିଦିନ ଭଳି ଜମିକୁ କାମ କରିବାକୁ ଯାଇଥିଲେ। ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ବାଉଁଶ ବୁଦା ତଳେ ଅଟକି ରହିଥିଲେ। ସେହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଶାଶୁ, ବୋହୁଙ୍କ ଉପରେ ବାଉଁଶବୁଦା ମାଡି ବସିବା ସହ ବଜ୍ରପାତ ହୋଇ ମୃତ୍ୟୁ ଘଟିଥିବା ପ୍ରାଥମିକ ସ୍ତରରେ ଜଣାପଡ଼ିଛି। ଖବର ପାଇ ଭଞ୍ଜନଗର ଦମକଳ ବାହିନୀ,ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାଶୁ, ବୋହୂଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ବାଉଁଶବୁଦା ଭିତରୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସୂଚନା ମିଳିଛି।