ଭଞ୍ଜନଗର ଏସଡିପିଓ ଓ ଅତିରିକ୍ତ ଏସପିଙ୍କ ଘରେ ପୂଜା ପାଇଲେ ମା ଠାକୁରାଣୀ

ଭଞ୍ଜନଗର ୦୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଐତିହାସିକ ଭଞ୍ଜନଗର ଠାକୁରାଣ ଯାତ୍ରା ଗୁରୁବାର ୧୨ ଦିନରେ ପହଞ୍ଚିଛି। ବୁଧବାର ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦେବୀ ଗମ୍ଭିରାରୁ ବାହାରି ପୂର୍ବ ମୁଖ ହୋଇ ମୁଖ୍ୟ ସଡ଼କର ୟୁନିୟନ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପଶ୍ଚିମ ମୁଖ ହୋଇ ମୁଖ୍ୟ ସଡ଼କର କିଛି ବାଟ ଯାଇ ଉତ୍ତର ମୁଖ ହୋଇ ଖଲାସି ସାହି ରାସ୍ତାକୁ ବାହାରିଥିଲେ। ସେଠାରୁ ଉତ୍ତର ମୁଖ ହୋଇ ରେଡ଼କ୍ରସ୍ ରୋଡ଼ ଅତିକ୍ରମ କରି ଷ୍ଟେଟ ବ୍ୟାଙ୍କ ଛକ ନିବାସୀ ଅଂଶୁମାନ ସାମନ୍ତରାୟଙ୍କ ବାସଭବନରେ ମା ପୂଜା ପାଇଥିଲେ। ପରେ ମା’ ଦକ୍ଷିଣ ମୁଖ ହୋଇ ଏସଡିପିଓ ଓ ଅତିରିକ୍ତ ଏସପିଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଦିପକ କୁମାର ମିଶ୍ର ଉଭୟେ ମା ଙ୍କୁ ପାଛୋଟି ନେଇଥିଲେ। ସେଠାରୁ ମଧ୍ୟ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ସମୟରେ ଉପଖଣ୍ଡର ସମସ୍ତ ପୁଲିସ ଅଧିକାରୀ ଯଥା ଜଗନ୍ନାଥ ପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ତାରାସିଂଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ, ବେଲଗୁଣ୍ଠା ଥାନାଧିକାରିଣୀ ରେବତୀ ଶବର, ବୁଗୁଡ଼ା ଥାନାଧିକାରୀ ସୀତାଂଶୁଶେଖର ମାନ୍ଧାତା, ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ, ତାରାସିଂ ଅତିରିକ୍ତ ଥାନାଧିକାରୀ ଅଭୟ କୁମାର ପ୍ରଧାନ, ଜଗନ୍ନାଥ ପ୍ରସାଦ ଅତିରିକ୍ତ ଥାନାଧିକାରୀ ଅନିଲ କୁମାର ଦେବତା, ଭଞ୍ଜନଗର ଥାନା ଏସଆଈ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଜ୍ୟୋସ୍ନାମୟୀ ସାହୁ, ବେଲଗୁଣ୍ଠା ଥାନା ଏସଆଈ ବିଶ୍ୱରଞ୍ଜନ ନାୟକ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସେଠାରୁ ପୁଜାର୍ଚ୍ଚନା ସାରି ମା ମୁଖ୍ୟ ରାସ୍ତାକୁ ଆସିଥିଲେ। ସେଠାରୁ ଦକ୍ଷିଣ ମୁଖ ହୋଇ କୋର୍ଟ ରୋଡ଼, ପୁରୁଣା ଜେଲ ରୋଡ଼୍, ତହସିଲ ଛକ ହୋଇ ଦେବୀ ଗମ୍ଭୀରା ଭିତରେ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ଅସ୍ଥାୟୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଶହ ଶହ ଶ୍ରଦ୍ଧାଳୁ ଦିନତମାମ ମା’ଙ୍କ ଦର୍ଶନ କରୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଭଞ୍ଜନଗର ପୁରୁଣା ଜେଲ ପରିସରରେ କବି ସମ୍ରାଟ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିରୀକୃତ ହୋଇଛି। ଏଥିସହ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଯାତ୍ରା କମିଟି ପକ୍ଷରୁ ରାଜ୍ୟର ନାମୀଦାମୀ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ସହ ଜେଲ୍ ପଡିଆ ଓ ଏଲଆଇସି ଅଫିସ ଛକ ନିକଟ ପଡିଆରେ ମୀନା ବଜାର ପଡିଥିବା ବେଳେ ବଳଭଦ୍ର ଆରୁଖ କୃଷକ ବଜାର ପ୍ରାଙ୍ଗଣରେ ଅପେରା ପଡିଛି। ତେଣୁ ଆଗାମୀ ଦିନରେ ଯାତ୍ରାରେ ଆହୁରି ଅସମ୍ଭାଳ ଭିଡ ହେବାକୁ ଥିବା ବେଳେ ପୋଲିସ ପ୍ରସାଶନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇବା ଆଶ୍ୟକତା ରହିଛି।