ରଥଖଳା ହାଲ୍‌ଚାଲ୍‌ : ତାତିରେ ଚାଲିଛି ରଥ ନିର୍ମାଣ, ଚକ ନ ଫାଟିବାକୁ ଚାଞ୍ଛ ଘୋଡ଼ାଇଲେ ଭୋଇ ସେବକ

ପୁରୀ, (ବଳରାମ ତ୍ରିପାଠି) ୧୧/୦୫: ପ୍ରଚଣ୍ଡ ଖରା ତାତିରେ ଚାଲିଛି ରଥ ନିର୍ମାଣ । ତତଲା ବଡ଼ଦାଣ୍ଡରେ ଠିଆ ହେଉଛି ରଥ । ଗୋଟିଏ ପରେ ଗୋଟିଏ ଚକ ନିର୍ମାଣ ହୋଇ ସାଇତା ଯାଉଛି । ଖରା କୋପରେ କଞ୍ଚା କାଠ ଶୁଖି ଚକ ଫାଟିବା ସ୍ୱାଭାବିକ କଥା । ଏଣୁ ସୁରକ୍ଷା ତଥା ଚକ ନଫାଟିବା ପାଇଁ ଚକରେ ବରଡ଼ା ଚାଞ୍ଛ ଘୋଡ଼ା ଯାଇଛି । ସଂଯୁକ୍ତ ଛଅ ଚକ ସମେତ ଶେଷ ହୋଇଥିବା ୨୦ ଚକରେ ଭୋଇ ସେବକମାନେ ଚାଞ୍ଛ ଘୋଡ଼ାଇଛନ୍ତି ।

ଚକ ନିର୍ମାଣ ପାଇଁ ପହିକୁ ଅପେକ୍ଷା କରୁଥିଲେ ବିଶ୍ୱକର୍ମା । ରଥ ଖଳାରେ ପହି କାଠ ପହଞ୍ଚିବା ପରେ ଗତି ଧରିଛି ଚକ ନିର୍ମାଣ । ମାପଚୁପ ହୋଇ ପହିରେ ବିନ୍ଧ କରାଯାଉଛି। ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼େଇ ବିଶ୍ୱକର୍ମାଙ୍କୁ ଦେଉଛନ୍ତି । ଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ପହି ପିନ୍ଧାଯାଇ ପାରମ୍ପରିକ ପ୍ରକ୍ରିୟାରେ ଚକ ପ୍ରସ୍ତୁତ ହେଉଛି । ରଥର ଯୋକା ନିର୍ମାଣ ସାରିଛନ୍ତି ବିଶ୍ୱକର୍ମା । ରଥର କୋଣ ମାନଙ୍କରେ ଯୋକା ସ୍ଥାପନ ହୁଏ । ରୂପକାରମାନେ ଗୁଜରେ ସିଂହ ମୂର୍ତ୍ତି ଖୋଦେଇରେ ବ୍ୟସ୍ତ ଥିବା ସ୍ଥଳେ ଭୋଇସେବକମାନେ ତୁମ୍ବରେ ଅର ସଂଯୋଗ କରି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ଚକ ପାଇଁ ଶାଳରେ କଣ୍ଟା, ବଳା, ପନ୍ଦାରି ଆଦି ଲୁହା ସାମଗ୍ରୀ ତିଆରି ରଥ ଚାଳିକୁ ଯୋଗାଇ ଦେଉଛନ୍ତି ।