
ପୁରୀ,୧୨/୦୫(ବଳରାମ ତ୍ରିପାଠି) : ମାନିଲେ ଈଶ୍ୱର, ନ ମାନିଲେ କାଠ ପଥର । ଆମ ଠାକୁରେ ଭାବରେ ହିଁ ପ୍ରକଟ ହୁଅନ୍ତି । ଭାବଗ୍ରାହୀଙ୍କ ସାରଥି ଟିଣ ଘରେ ଅବହେଳିତ ଭାବେ ପଡ଼ି ସିଝୁଛନ୍ତି। ରଥର ପାଶ୍ୱର୍ଦେବଦେବୀ ଥାନା ପାଶ୍ୱର୍ ବନ୍ଦ କୋଠରୀରେ ବନ୍ଦୀ ରହିଛନ୍ତି । ରଥରେ ବିଜେ ହୋଇ ଏମାନେ ପୂଜା ପାଆନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ଠାକୁରଙ୍କ ଅଧର ପଣା ସମର୍ପଣ କରାଯାଏ । ହେଲେ ରଥ ସରିଲେ ସାରଥି ଓ ପାଶ୍ୱର୍ଦେବଦେବୀଙ୍କୁ ଏତେ ହତାଦର କାହିଁକି? ମୂର୍ତ୍ତି ନିର୍ମାଣ କରୁଥିବା ଶ୍ରୀମନ୍ଦିର ରୂପକାରମାନେ କହି କହି ଥକିଗଲେଣି । ପୂଜାମୂର୍ତ୍ତିଙ୍କୁ ଅବହେଳିତ ରଖିବା ଅନୁଚିତ କହୁଛନ୍ତି । ହେଲେ ପ୍ରଶାସନ ପାଶ୍ୱର୍ଦେବଦେବୀ ଓ ସାରଥିଙ୍କୁ ଯଥାବିଧି ଯତ୍ନ କରିବାକୁ କୌଣସି ପଦକ୍ଷେପ ନେଇନାହିଁ ।ଶ୍ରୀମନ୍ଦିର ରୂପକାର ନିଯୋଗ ସଭାପତି ପଞ୍ଚାନନ ମହାପାତ୍ର କୁହନ୍ତି, ସାରଥି ଓ ପାଶ୍ୱର୍ଦେବାଦେବୀ ଜୀବନ୍ତ । ଏମାନେ ହେଉଛନ୍ତି ପୂଜା ଦିଅଁ । ଆଗେ ପ୍ରତିଦିନ ଏମାନଙ୍କୁ ଫୁଲ ପାଣି ଦେଇ ଖଇ କୋରା ଭୋଗ ଅର୍ପଣ କରାଯାଉଥିଲା । କୋଇଲି ବୈକୁଣ୍ଠରେ ଥିବା ବେଳେ ଯାତ୍ରୀମାନେ ମଧ୍ୟ ସେମାନଙ୍କୁ ଦେଖି ପୁରୀ ରଥ ଯାତ୍ରାର ମହତ୍ତ୍ୱ ବୁଝୁଥିଲେ । ସେମାନଙ୍କୁ ମୁଣ୍ଡିଆ ମାରୁଥିଲେ । ଏବେ କିଛି ବର୍ଷ ହେଲା ସେମାନଙ୍କୁ ଘୋର ଅବହେଳା ପ୍ରଦର୍ଶନ କରାଯାଉଛି । କିଛି ବର୍ଷ ପୂର୍ବେ ଦେଉଳରୁ ଆଣି ଦୋଳବେଦି ଠାରେ, ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ବାରଣ୍ଡାରେ ଉଠାପକା କରିବା ପରେ ଏବେ ଏଭଳି ଦୁର୍ଦ୍ଦଶାପୂର୍ଣ୍ଣ ସ୍ଥିତିରେ ଦେବଦେବୀଙ୍କୁ ରଖାଯାଇଛି । ଠାକୁରଙ୍କ ଏମାନେ ଅତି ଆତ୍ମୀୟ । ବଡ଼ଦେଉଳ ପରମ୍ପରାରେ ସେମାନେ ହେଉଛନ୍ତି ଦିଅଁ । ନଚେତ୍ ନବକଳେବର ସମୟରେ ଠାକୁରଙ୍କୁ ସମାଧି ଦିଆଯାଉଥିବା ସ୍ଥଳେ ଏମାନଙ୍କୁ ମଧ୍ୟ କାହିଁକି ପୋତି ଦିଆଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତାକାରେ ବହୁବାର ଜଣାଇଲୁଣି । ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନଯିବାରେ ଦିଅଁମାନେ ସେହିଭଳି ଅବହେଳିତ ଭାବେ ପଡ଼ିଛନ୍ତି । ରଥ ଯାତ୍ରା ଆସିଗଲେ ସେମାନଙ୍କୁ କଣ୍ଢେଇ ଭଳି ଅଣାଯାଇ ମରାମତି ଓ ରଙ୍ଗ ଦେଇ ରଥରେ ସଜ୍ଜିତ କରାଯିବ ।ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥତ୍ରୟରେ ସମାନ ସଂଖ୍ୟକ ୯ଜଣ କରି ୨୭ ଜଣ ବିଗ୍ରହ ଅଧିଷ୍ଠିତ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏମାନଙ୍କ ଭିନ୍ନ ଭିନ୍ନ ନାମ ରହିଛି । ନବକଳେବର ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ ସହ ପାଶ୍ୱର୍ ଦେବବେଦୀ ଓ ସାରଥି ଆଦି ତିଆରି ହୋଇ ପୁଣି ଆସନ୍ତା ନବକଳେବରରେ ପୋତା ହୋଇଥାନ୍ତି । ରଥ ଯାତ୍ରାରେ ସେମାନଙ୍କୁ ଦିଅଁ ଭାବେ ପୂଜା କରାଯାଉଥିବା ସ୍ଥଳେ ପରବର୍ତ୍ତୀ ସମୟରେ ଗୋଦାମ ଘରେ କିଳି ଦିଆଯାଉଛି । ଗତ ବର୍ଷ ଯାତ୍ରା ସରିବା ପରେ ରଥ ଖଳା ପାଖ ପାର୍କିଂସ୍ଥଳୀରେ ଥିବା ଅସ୍ଥାୟୀ ଟିଣ ଘରେ ରଥର ତିନି ସାରଥି ଅତ୍ୟନ୍ତ ଅବହେଳିତ ଭାବେ ରହିଛନ୍ତି । ଭିତର ଅନ୍ଧାର ସାଙ୍ଗକୁ ଅଳିଆ ଆବର୍ଜନାରେ ବୁଡ଼ିଛି । ଟାଣ ଖରାରେ ସାରଥି ସିଝୁଥିବା ସ୍ଥଳେ ଅସରାଏ ବର୍ଷାରେ ଶରୀର ବୁଡ଼ୁଥିବ । ସରକାରୀ କର୍ମଚାରୀଙ୍କ ବାଇକ୍ ଷ୍ଟାଣ୍ଡ ପଛକୁ ରହିଥିବା ଅସ୍ଥାୟୀ ଟିଣ ଘରେ ଅଣଆଡ଼ିଆ ହୋଇ ତିନି ସାରଥି ରହିଛନ୍ତି । ସେହିଭଳି ସିଂହଦ୍ୱାର ଥାନା ନିକଟସ୍ଥ ଏକ ଘରେ ପାଶ୍ୱର୍ ଦେବଦେବୀ ତାଲା ପଡ଼ି ରହିଥିବା ସୂଚନା ରହିଛି । ଦିଅଁମାନଙ୍କୁ କଣ୍ଢେଇ ଜ୍ଞାନ କରି ଏଭଳି ଅଯତ୍ନ କରି ରଖାଯିବାରେ ନିର୍ମାଣକାରୀଙ୍କ ସମେତ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ଦୁଇ ପ୍ରଶାସକଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।