
ପୁରୀ, (ବଳରାମ ତ୍ରିପାଠି) : ଅସୁରକ୍ଷିତ ହୋଇପଡ଼ିଛନ୍ତି ବାଲୁଖଣ୍ଡ ଅଭୟାରଣ୍ୟର ହରିଣ । ବିଭିନ୍ନ ସମୟରେ ଏଭଳି ଅଭିଯୋଗ ଆଣିଥା’ନ୍ତି ପରିବେଶବିତ୍ । ମଙ୍ଗଳବାର ଗାଡ଼ି ଧକ୍କାରେ ରାସ୍ତାରେ ଗୋଟିଏ ହରିଣର ଜୀବନ ଚାଲିଯିବା ଏହାକୁ ସ୍ପଷ୍ଟ କରୁଛି। ବାଲୁଖଣ୍ଡ ଅଭୟାରଣ୍ୟରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ରହୁଥିଲେ ମଧ୍ୟ ଏଠାରେ ପ୍ରମୁଖ ଆକର୍ଷଣ ହେଉଛନ୍ତି ଚିତ୍ରା ହରିଣ। କିନ୍ତୁ ଏମାନଙ୍କୁ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟ ମିଳୁନାହିଁ ବୋଲି ପୂର୍ବରୁ ଅଭିଯୋଗ ହୋଇଆସୁଛି । ଜଙ୍ଗଲ ବିଭାଗ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ନ ଥିବାରୁ ବିଭିନ୍ନ ସମୟରେ ବାଟ ହୁଡୁଛନ୍ତି ହରିଣ । ଅନେକ ସମୟରେ ଖାଦ୍ୟ, ପାନୀୟ ଆଶାରେ ଜନବସତିମୁହାଁ ହେଉଥିବା ହରିଣ ବିପଦରେ ପଡୁଛନ୍ତି | କେତେବେଳେ ବୁଲା କୁକୁରଙ୍କ ଶିକାର ହେଉଛନ୍ତି ତ ପୁଣି କେତେବେଳେ ଗାଡ଼ି ଦୁର୍ଘଟଣା ର ଶିକାର ହେଉଛନ୍ତି । ଏପରି କି ଡ୍ରେନ୍ରେ ପଡ଼ି ଏମାନଙ୍କ ଜୀବନ ଯାଇଛି। ଏମିତି ବି ମଣିଷଙ୍କ ଦ୍ଵାରା ଏମାନେ ଶିକାର ହେବାର ଦୃଷ୍ଟାନ୍ତ ରହିଛି!
ପୁରୀ-କୋଣାର୍କ ମେରାଇନ ଡ୍ରାଇର୍ ରୋଜ୍ରେ ଅବସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ। ଦ୍ରୁତ ସହରାକରଣ ଯୋଗୁଁ ଏହା ମଧ୍ୟରେ ରହୁଥିବା ଜୀବଜନ୍ତୁଙ୍କ ଜୀବନଶୈଳୀ ପ୍ରଭାବିତ ହେବାରେ ଲାଗିଛି। ବିଶେଷକରି ହରିଣଙ୍କ ପାଇଁ ଖାଦ୍ୟ ସଙ୍କଟ ଯୋଗୁଁ ବେଳେବେଳେ ସେମାନେ ମୃତାହତ ହେଇଛନ୍ତି । ପୂର୍ବରୁ ହରିଣଙ୍କୁ ଯେଉଁଭଳି ପର୍ଯ୍ୟାସ୍ତ ସବୁଜ ଘାସ ମିଳୁଥିଲା ଫଳୀ ବାତ୍ୟା ପରେ ସେଭଳି ଆଉ ମିଳୁନାହିଁ। ସମାନ ଭାବେ ଚୁଆ, ପୋଖରୀରେ ମଧ୍ୟ ହରିଣଙ୍କ ପିଇବା ପାଇଁ ଆବଶ୍ୟକ ପାଣି ମିଳୁନାହିଁ । ବର୍ତ୍ତମାନ ଖରାଦିନ ଯୋଗୁଁ କିଛି ଚୁଆ, ପୋଖରୀ ବି ଶୁଖିଗଲାଣି। ସିମେଣ୍ଟ କୁଣ୍ଡ ବି ଶୋଷ ମେଣ୍ଟାଇପାରୁନି I ତେଣୁ ଖାଦ୍ୟ ପାନୀୟ ଅନ୍ଵେଷଣରେ ଜଙ୍ଗଲ ବାହାରକୁ ଗଲେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଜଙ୍ଗଲ ଛାଡ଼ି ଜନବସତିମୁହାଁ ହୋଇଥିବା ଏକ ଅଣ୍ଡିରା ହରିଣର ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି । ମାଳତାପାଟପୁର ବସ୍ଷ୍ଟାଣ୍ଡ ନିକଟରେ ହରିଣଟି ଜାତୀୟ ରାଜପଥ ଅତିକ୍ରମ କରୁଥିବାବେଳେ ଦୁଇଟି ଗାଡ଼ି ବାଡ଼େଇଥିଲେ। ଛଟପଟ ହୋଇ ରାସ୍ତାରେ ହିଁ ଚାଲିଯାଇଥିଲା ତା’ ଜୀବନ। ପଥଚାରୀଙ୍କଠାରୁ ଖବର ପାଇ ବନ ବିଭାଗ ତାକୁ ନିଜ ହେପାଜତକୁ ଆଣିବା ପରେ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି । ଏ ନେଇ ବାଲୁଖଣ୍ଡ ରେଞ୍ଜର ପ୍ରଦୀପ୍ତ ମହାନ୍ତିଙ୍କୁ ପଚାରିବାରେ, ଗାଡ଼ି ଧକ୍କାରେ ମରିଥିବା ହରିଣଟି ବାଲୁଖଣ୍ଡର ନୁହେଁ । ତାହା ସକ୍ଷୀଗୋପାଳ ଅଞ୍ଚଳର ବୋଲି କହିଛନ୍ତି। ତେବେ ଏହାକୁ ଗ୍ରହଣ କରିପାରିନାହାନ୍ତି ପରିବେଶବିତ୍ । ବନ ବିଭାଗ ପ୍ରଥମେ ହରିଣମାନେ ଯେପରି ବାହାରକୁ ନ ଯିବେ ତା’ ବ୍ୟବସ୍ଥା ଆଗ କରୁ ବୋଲି କହିଛନ୍ତି।