
ଭଞ୍ଜନଗର, ୧୮/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)-୨୦୨୬ ସମ୍ପର୍କରେ ଆଲୋଚନା ପାଇଁ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଆଜି ଅପରାହ୍ନରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତୀୟ ଜନତା ଦଳ, ବିଜୁ ଜନତା ଦଳ,ଭାରତୀୟ ଜାତୀୟ କଂଗ୍ରେସ ଆଦି ଦଳର ଜିଲ୍ଲା ସଭାପତି ଓ ସମ୍ପାଦକମାନେ ଯୋଗଦେଇଥିଲେ। ଓଡିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଛି। ଏହି ସଂଶୋଧନ ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ନିର୍ଦ୍ଧାରିତ ହୋଇଥିବାବେଳେ, ୨୦ ମେ ରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ। ୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ। ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ। ଏହାପରେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ୦୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।
ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ଯେ, ବୁଥ ସ୍ତରୀୟ ଅଧିକାରୀ, ବୁଥ ସ୍ତରୀୟ ଏଜେଣ୍ଟ ଓ ସମସ୍ତ ରାଜନୈତିକ ଦଳମାନଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବ।
ମତଦାତାମାନେ ନିଜ ନାମ ଭୋଟର ତାଲିକାରେ ସଠିକ୍ ଭାବେ ରହିଛି କି ନାହିଁ ଯାଞ୍ଚ କରିବା ସହ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ଅଧିକ ସୂଚନା ପାଇଁ ଭୋଟରମାନେ voters.eci.gov.in କିମ୍ବା ECINET App ବ୍ୟବହାର କରିପାରିବେ। ଭୋଟର ତାଲିକାର ସଠିକତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ନେଇ SIR-୨୦୨୬ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଅତିରିକ୍ତ ଜିଲ୍ଲାପାଳ ରଚିତା ମହାପାତ୍ର,ଭଞ୍ଜନଗର ତହସିଲଦାର ଅଭିଷ୍ପା ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ , ଭଞ୍ଜନଗର ଉପଖଣ୍ଡସ୍ତରୀୟ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ବୈଠକରେ ଉପସ୍ଥିତ ଥିଲେ।