
ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ଵାର ଅଞ୍ଚଳରେ ଏବେ ଆର୍ ଆଣ୍ଡ ବି ରାସ୍ତାକୁ କେନ୍ଦ୍ର କରି ଚାଲିଛି ଏକ ନୂଆ ପ୍ରଶାସନିକ ନାଟକ। ଲୋକଙ୍କ ରାସ୍ତା ଉପରେ ମନମାନି କରି ଇଡକୋ ନେଇଛି “ଅଧିକାର” ର ଭୂମିକା, ଆଉ ସେଥିରେ ସାଥ ଦେଉଛନ୍ତି କିଛି ସ୍ଥାନୀୟ କୁଜିନେତା। ବାଟବୁଢ଼ୀ ଠାରୁ ଓଟିଏମ୍ ଛକ ପର୍ଯ୍ୟନ୍ତ ଥିବା ଆର୍ ଆଣ୍ଡ ବି ରାସ୍ତାକୁ ଜୋର୍ ଜବରଦସ୍ତି ସମ୍ପ୍ରସାରଣ କରାଯାଉଥିବା ଅଭିଯୋଗ ଆସିଛି। ଆଶ୍ଚର୍ଯ୍ୟର କଥା, ଏହାକୁ ନେଇ ବିଭାଗ ପକ୍ଷରୁ ଟାଙ୍ଗୀ-ଚୌଦ୍ଵାର ତହସିଲଦାର ଓ ଇଡକୋ ଅଧିକାରୀଙ୍କୁ ଚିଠି ହୋଇଥିଲେ ମଧ୍ୟ, ପଦକ୍ଷେପ ନେବାରେ ପ୍ରଶାସନ ନୀରବତା ବର୍ତ୍ତାଉଛି। ଏହି ଘଟଣାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନ ଘୁରୁଛି— “କାହାର ଛତ୍ରଛାୟାରେ ଚାଲୁଛି ଏହି ମନମାନି?” ସ୍ଥାନୀୟ ମହଲରେ ଆଲୋଚନା ହେଉଛି ଯେ, ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଛାମୁହା କିଛି କୁଜିନେତା ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ନେଉଛନ୍ତି। ଯାହା ଦେଖି ଲାଗୁଛି—ରାସ୍ତା ନୁହେଁ, ଏଠାରେ ଚାଲିଛି ପ୍ରଭାବର ପରୀକ୍ଷା। ଏହିପରି ପରିସ୍ଥିତିରେ ଦୁର୍ନୀତିମୁକ୍ତ ଓଡିଶାର ନାରା ଦେଇଥିବା ମୋହନ ସରକାର ଏହା ସମ୍ପର୍କରେ ଅବଗତ କି ନୁହେଁ, ତାହା ନେଇ ପ୍ରଶ୍ନ ଉଠିଛି। ସରକାରୀ ନିୟମ କାଗଜରେ ସୀମିତ ରହିଯାଉଛି କି? ନା କି ନିୟମକୁ ଅଟକାଇ ରଖିଛି କିଛି ପ୍ରଭାବଶାଳୀ ହାତ?
ଏହାର ଉତ୍ତର ଆସିବାକୁ ବାକି ରହିଛି, କିନ୍ତୁ ଚୌଦ୍ଵାରରେ ଇଡକୋର ଏହି “ଦାଦାଗିରି” ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ।