ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ମୃତ୍ୟୁ, ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବୁଗୁଡ଼ା, ୧୮/୦୫(ସୋରେନ କୁମାର ପ୍ରଧାନ): ଦୀର୍ଘ ଦିନ ଧରି ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମାଇଲି ଗ୍ରାମର ଶରତ କୁମାର ନାୟକ ପାରାଦ୍ୱୀପରେ ଏକ ପ୍ରାଇଭେଟ୍ ସଂସ୍ଥାର ଟ୍ରକ OD05R 0463 ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ପୋର୍ଟ ଭିତରେ ଗାଡ଼ିରୁ ଜିନିଷ ଖାଲି କରିବା ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଗାଡ଼ି ମାଲିକ ତାଙ୍କୁ ସ୍ଥାନୀୟ ମେଡିକାଲରେ ଛାଡ଼ି ପରିବାର ଲୋକଙ୍କୁ ସୂଚନା ଦେଇ ସେଠାରୁ ଛାଡ଼ି ଚାଲିଯାଇଥିଲେ। ମାଲିକଙ୍କ ଏଭଳି ସନ୍ଦେହଜନକ ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।ଖବର ପାଇ ଶରତଙ୍କ ଜଣେ ବନ୍ଧୁ ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।ଶବ ବ୍ୟବଚ୍ଛେଦ ପରେ ମରଶରୀର ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମୃତ ଶରତଙ୍କ ସ୍ତ୍ରୀ ସୂର୍ଯ୍ୟମଣି ନାୟକ ଓ ୪ ଜଣ ଝିଅ ଥିବା ବେଳେ, ପରିବାରର ଏକମାତ୍ର ରୋଜଗାରିଆ ବାପାଙ୍କୁ ହରାଇ ସେମାନେ ଏବେ ଅସହାୟ ହୋଇପଡ଼ିଛନ୍ତି। ଏ ନେଇ ପାରାଦୀପ ଆଦର୍ଶ ପୋଲିସ ଥାନାରେ ଅଭିଯୋଗ କରାଯାଇଥିଲା।ଥାନା ପକ୍ଷରୁ କେସ୍ ନଂ ୧୩୬/୨୬ ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତ ପରିବାରକୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଓ ପରିବାର ପକ୍ଷରୁ ଦାବି ହୋଇଛି।