
ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ୱାରରେ ଫଟୋଗ୍ରାଫି କଳାକୁ ଆଉ ଏକ ନୂତନ ମଞ୍ଚ ମିଳିଥିବା ବେଳେ, ଗାନ୍ଧିଛକ ସ୍ଥିତ ମୋନାର୍ଚ୍ଚ ହୋଟେଲରେ ଏକ ଉତ୍ସାହମୟ ଓ ଜ୍ଞାନବର୍ଦ୍ଧକ ଫଟୋଗ୍ରାଫି ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇ ସଫଳତାର ସହ ସମାପ୍ତ ହୋଇଛି। ଚୌଦ୍ୱାର ଫଟୋଗ୍ରାଫର ଆସୋସିଏସନ୍ ଆନୁକୂଲ୍ୟରେ ଓ ପ୍ରସିଦ୍ଧ ସୋନି କମ୍ପାନୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଅଞ୍ଚଳର ଫଟୋଗ୍ରାଫି ପ୍ରେମୀମାନଙ୍କ ପାଇଁ ଏକ ଅମୂଲ୍ୟ ଅବସର ସାବ୍ୟସ୍ତ ହୋଇଥିଲା। ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ସ୍ୱାଇଁ ଓ ଅବିନାଶ ପାତ୍ର ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ କର୍ମଶାଳାର ଶୁଭାରମ୍ଭ କରିଥିଲେ। କର୍ମଶାଳାର ମୂଳ ଆକର୍ଷଣ ଥିଲେ ସୋନିର ରାଜ୍ୟ ଇନଚାର୍ଜ ସିଦ୍ଧାର୍ଥ ପଟ୍ଟନାୟକ, ପ୍ରସିଦ୍ଧ ଇନଫ୍ଲୁଏନ୍ସର ପ୍ରଶାନ୍ତ ଶର୍ମା ଓ ଫଟୋଗ୍ରାଫି ସ୍ପେଶାଲିଷ୍ଟ ମହମ୍ମଦ ନୁର୍ ଆଲମ୍। ସେମାନେ ଆଧୁନିକ କ୍ୟାମେରା ଟେକନୋଲୋଜି, ଲାଇଟିଂ ଓ କମ୍ପୋଜିସନ୍ର ସୂକ୍ଷ୍ମତା ସହିତ ନୂତନ ଟ୍ରେଣ୍ଡ ଉପରେ ବିସ୍ତୃତ ଓ ପ୍ରାୟୋଗିକ ପ୍ରଶିକ୍ଷଣ ଦେଇଥିଲେ, ଯାହା ଉପସ୍ଥିତ ଫଟୋଗ୍ରାଫର ମାନଙ୍କୁ ବେଶ ଆକର୍ଷିତ କରିଥିଲା। ଟାଙ୍ଗୀ, ଚୌଦ୍ୱାର ଓ ଜଗତପୁର ଅଞ୍ଚଳରୁ ଆସିଥିବା ଅନେକ ଫଟୋଗ୍ରାଫର ଏହି କର୍ମଶାଳାରେ ଅଂଶଗ୍ରହଣ କରି ନିଜ ଦକ୍ଷତାକୁ ଆହୁରି ମଜବୁତ କରିବାରେ ସମର୍ଥ ହୋଇଥିଲେ। କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପାଦନ କରିବାରେ ସମ୍ପାଦକ ଜୀବନେନ୍ଦୁ ଲେଙ୍କା, ପରୀକ୍ଷିତ ଲେଙ୍କା ଓ ଅଜିତ୍ ସ୍ୱାଇଁଙ୍କ ସହିତ ଅନ୍ୟାନ୍ୟ ସଦସ୍ୟଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଏହିପରି ପ୍ରଶିକ୍ଷଣ କର୍ମଶାଳା ମାଧ୍ୟମରେ ଚୌଦ୍ୱାର ଅଞ୍ଚଳରେ ଫଟୋଗ୍ରାଫି କଳାର ପ୍ରଚାର ଓ ପ୍ରସାର ଆଉ ବେଶି ଗତି ପାଇବ ବୋଲି ସାଧାରଣରେ ଆଶା ବ୍ୟକ୍ତ କରାଯାଇଛି।