
ନୂଆପଡା, ତା ୨୫/୦୫ (ପରମେଶ୍ୱର ମେହେର): ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ବ୍ଲକ ଉପାଧ୍ୟକ୍ଷା ମୀନା ଘିବେଲା, ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ଏବଂ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଚିନ୍ମୟ ସାଗର ଓ ଶେଖ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଶିବିରରେ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ୫୫ଟି ବ୍ୟକ୍ତିଗତ ଓ ୯ଟି ଗୋଷ୍ଠୀଗତ ଅଭିଯୋଗ ସହ ମୋଟ ୬୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।
ଶିବିରରେ ଗୁଲସନ କୁମାର ସରାଫଙ୍କୁ ଉଚ୍ଚ ଶିକ୍ଷା ପାଇଁ ୪୬,୪୯୫ ଟଙ୍କା, ସରୋଜ ଶତନାମୀଙ୍କୁ ୩୯,୫୮୩ ଟଙ୍କା ଓ ବିଶାଳ ଶତନାମୀଙ୍କୁ ୩୦,୪୪୮ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ସେହିପରି ବିରମଣି ନିଆଲ, ଧନିରାମ ନିଆଲ ଓ ଦିନଜନ ଗୁଆଳଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏ ଚେକ ପ୍ରଦାନ କରାଯାଇଥିଲା। ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପେନସନ ପ୍ରଦାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଆବେଦନ ଉପରେ ମଧ୍ୟ ତତ୍କାଳ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଇଥିଲା।
ଏହି ଅବସରରେ ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଖଗେଶ୍ୱର ସା (ବରଗାଁ ଗ୍ରାମ ପଞ୍ଚାୟତ), ଚୁଡାରାମ ବିହାରୀ (ଗଣ୍ଡାବାହାଳି ଗ୍ରାମ ପଞ୍ଚାୟତ) ଓ ଲଳିତ ତାଣ୍ଡି (ମାଖାପଦର ଗ୍ରାମ ପଞ୍ଚାୟତ)ଙ୍କୁ “ସ୍ୱଚ୍ଛତା ଦୂତ” ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଅଭିଯୋଗ ଶୁଣାଣି ଶିବିର ଉପଲକ୍ଷେ ଗଣ୍ଡାବାହାଳି ଗ୍ରାମରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ପଶୁଚିକିତ୍ସା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହ ବହୁ ସଂଖ୍ୟକ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
ପିଏମ୍-ଜନମନ ଅଭିଯାନର ସଫଳ ସମାପନ
ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍-ଜନମନ) ଓ ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏ-ଜିଏଉଏ) କାର୍ଯ୍ୟକ୍ରମର ସଫଳ ସମାପନ ମଧ୍ୟ ଘୋଷଣା କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ଜନଜାତି ଅଧିବାସୀ ଅଞ୍ଚଳରେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରାଯାଇଥିଲା।
ସମାପନୀ ଅବସରରେ ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଏହି ମାସ ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ଦୁର୍ଗମ ଓ ଜନଜାତି ଅଞ୍ଚଳରେ ଫିଲ୍ଡ କନ୍ଟାକ୍ଟ, ସର୍ଭିସ ସାଚୁରେସନ, ହେଲ୍ଥ ଆଉଟ୍ରିଚ ଓ ଲାଇଭଲିହୁଡ ଭିଜିବିଲିଟି ଭଳି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ସରକାରୀ ଯୋଜନାଗୁଡିକୁ ଜନଜାତି ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ସହ ସ୍ୱାସ୍ଥ୍ୟ, ଜୀବିକା ଓ ସାମାଜିକ ସୁରକ୍ଷା ମେଳାପରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଅଧିକାରୀମାନେ କହିଥିଲେ।