ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ; କର୍ପୁର ଉଡ଼ିଗଲାଣି, କେବଳ କନା ପଡ଼ି ରହିଛି

ବ୍ରହ୍ମପୁର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ୱତନ୍ତ୍ର ପ୍ରତିନିଧି , ଓଡ଼ିଶା ଟୁଡେ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏକମାତ୍ର କନଷ୍ଟିଚୁଏଣ୍ଟ ମହାବିଦ୍ୟାଳୟ ହେଉଛି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ । ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମହାବିଦ୍ୟାଳୟ ୨୦୧୯-୨୦ ମସିହାରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା | ଦିନ ଥିଲା ଏଠାରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମୋଟ ପ୍ରାୟ ୨୫ରୁ ଉର୍ଦ୍ଧ୍ବ କାର୍ଯ୍ୟ କରୁଥିଲେ । ହେଲେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାର ଶୀକାର ହୋଇଛି ଏହି ଗୌରବମୟ ଶିକ୍ଷାନୁଷ୍ଠାନ । ୨୫ଜଣ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୯ ଜଣ । ସେଥି ମଧ୍ୟରୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ, ଜଣେ ପିଅନ, ଜଣେ ସଫେଇ କର୍ମଚାରୀ ଓ ଜଣେ କିରାଣୀଙ୍କ ସମେତ ୪ଜଣ ଅତିଥି ଅଧ୍ୟାପକ। ହେଲେ ଏଠାରେ ୩ ବର୍ଷିଆ ଆଇନ ଡିଗ୍ରୀ ପାଠ୍ୟକ୍ରମରେ ପ୍ରତିବର୍ଷ ୧୬୦ଜଣ ହିସାବରେ ମୋଟ ୪୮୦ ଏବଂ ଦୁଇ ବର୍ଷିଆ ସ୍ନାତକୋତ୍ତର ଆଇନ ପାଠ୍ୟକ୍ରମ (ସେଲ୍ଫ ଫାଇନାନ୍ସ)ରେ ପ୍ରତି ବର୍ଷରେ ୧୬ ଜଣ ଲେଖାଏଁ ୩୨ ଜଣ, ଏହିଭଳି ମୋଟ ୫୧୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟକ୍ଷଙ୍କୁ ମିଶାଇ ଅଛନ୍ତି ମାତ୍ର ୬ ଜଣ ଅଧ୍ୟାପକ।

୨୦୧୮ ମସିହାରୁ ଶିକ୍ଷାନୁଷ୍ଠାନରେ ଜଣଙ୍କୁ ବି ନିୟମିତ ନିଯୁକ୍ତି ଦିଆଯାଇନାହିଁ | ଫଳରେ ଜଣକ ପରେ ଜଣେ ଅବସର ଗ୍ରହଣ କରିବା ସହିତ ଖାଲି ହେବାରେ ଲାଗିଛି ଶିକ୍ଷାନୁଷ୍ଠାନ । ଯଦ୍ବାରା ବାହାରକୁ ସୁନ୍ଦର ଦିଶୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଭିତରକୁ ସମ୍ପୂର୍ଣ୍ଣ ଫମ୍ପା ଥିବା ଜଣାପଡିଛି। ଏଠାରେ ଥ‌ିବା ଜଣେ ଖେଳ ଶିକ୍ଷକଙ୍କୁ ବିଶ୍ଵବିଦ୍ୟାଳୟକୁ ଡେପୁଟେସନରେ ନିଆଯାଇଛି। ଏଠାରେ ବିରାଟ ଗ୍ରନ୍ଥାଗାର ଥିବା ବେଳେ ତାହାର ଦାୟିତ୍ବରେ କେହି ଲାଇବ୍ରେରିଆନ ମଧ୍ୟ ନାହାନ୍ତି। ଶିକ୍ଷାନୁଷ୍ଠାନ ପାଇଁ ଅଧ୍ୟକ୍ଷଙ୍କ ସମେତ ଜଣେ ପ୍ରଫେସର, ଜଣେ ରିଡର, ୩ଜଣ ଅଧ୍ୟାପକ, ଜଣେ ସେକ୍ସନ ଅଫିସର, ବରିଷ୍ଠ କିରାଣି ୪ଜଣ, ୨ଜଣ କନିଷ୍ଠ କିରାଣି ଓ ଦୁଇଜଣ ପିଅନଙ୍କ ସମେତ ରାତ୍ରୀ ଜଗୁଆଳି ଆଦି ୨୫ଜଣ କର୍ମଚାରୀଙ୍କ ପଦବୀ ସରକାରଙ୍କ ଦ୍ବାରା ଅନୁମୋଦିତ ଥିବା ଜଣାପଡିଛି।

୨୦୨୨ରୁ ୨୦୨୪ମସିହା ମଧ୍ୟରେ ଏଠାରୁ ସ୍ନାତକୋତ୍ତର ଆଇନ ବା ଏଲଏଲଏମ ପାଠ୍ୟକ୍ରମକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ଅଧ୍ୟକ୍ଷଙ୍କ ଉଦ୍ୟମ କ୍ରମେ ପୁଣିଥରେ ଏହି ପିଜି ପାଠ୍ୟକ୍ରମ ଆରମ୍ଭ କରାଯାଇଥିବା ଜଣାପଡିଛି।

ଆବଶ୍ୟକ ‘ଇଣ୍ଡିଆନ ବାର କାଉନସିଲ’ର ଅନୁମୋଦନ ଗତ ୨୦୨୧ମସିହା ପରଠାରୁ ନଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି। ଏପରିକି ଫିଜିକାଲ ଭେରିଫିକେସନ ପାଇଁ ମଧ୍ୟ ଗତ ୭ ବର୍ଷ ଧରି କେହି ଏଠାକୁ ଆସିନଥିବା ସୂଚନା ମିଳିଛି। ଏଥିପାଇଁ ଯଦି କୌଣସି ଟିମ ଆସିଯିବେ ତେବେ ଏଠାକାର କର୍ମଚାରୀଙ୍କ ସ୍ଥିତିକୁ ଦେଖି ଅନୁମୋଦନ ମିଳିବା ତ ଦୂରର କଥା ଏହାକୁ ତୁରନ୍ତ ବନ୍ଦ କରିବାକୁ କହିବେ । ସେହିଭଳି ସରକାରୀ ଶିକ୍ଷାନୁଷ୍ଠାନ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏଠାରେ ଯୁକ୍ତ ଦୁଇ ଶ୍ରେଣୀ ପରେ ୫ବର୍ଷିଆ ଇଣ୍ଟିଗ୍ରେଟେଡ ଆଇନ ପାଠ୍ୟକ୍ରମ ଆରମ୍ଭ ହୋଇପାରିନଥିବା ଚିନ୍ତା ଓ ପରିତାପର ବିଷୟ ହୋଇଛି। ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଗତ ୨୦୧୧ମସିହାରୁ ନିୟମିତ ବା ସ୍ଥାୟୀ ଅଧ୍ଯକ୍ଷ ଭାବେ ପ୍ରଫେସର ଏନ.ସି. ପଟ୍ଟନାୟକ କଲେଜର ସ୍ଥିତିକୁ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଶହ ଶହ ଚିଠି ଲେଖି ଥିଲେ ହେଁ ଏଥିପ୍ରତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଆଦୌ ଗୁରୁତ୍ବ ଦେଇନଥିବା କହିଛନ୍ତି ନିଜେ ଅଧ୍ଯକ୍ଷ | ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାର ଶୀକାର ଏହି ଏକମାତ୍ର କନଷ୍ଟିଚୁଏଣ୍ଟ ଶିକ୍ଷାନୁଷ୍ଠାନ ଦିନ‌କୁ ଦିନ ଅଧୋଗତି ଆଡକୁ ଆସି ଏଭଳି ଦୟନିୟ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ସେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବାକୁ ପଛାଇ ନାହାନ୍ତି I ତେବେ ନିକଟରେ ଅଧ୍ୟାପକଙ୍କ ନିଯୁକ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇ ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ଅଧ୍ୟକ୍ଷ ପ୍ରଫେସର ପଟ୍ଟନାୟକ |

ଅନ୍ୟପକ୍ଷରେ ମହାବିଦ୍ୟାଳୟର ଶ୍ରେଣୀ ଗୃହ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଛାତରୁ କଂକ୍ରିଟ ଖସି ଲୁହା ଛଡ଼ ଦେଖାଯାଉଛି। ଝରକା କବାଟ ଭାଙ୍ଗି ରୁଜି ଯାଇଛି । ପାଇଖାନା ନାହିଁ କହିଲେ ଚଳେ। ଯେଉଁ ପାଇଖାନା ସବୁ ଅଛି ସେସବୁ ବିପଦସଙ୍କୁଳ ଅବସ୍ଥାରେ ଅଛି । କେତେବେଳେ କାହା ମୁଣ୍ଡରେ ଯେ କଂକ୍ରିଟ ଖଣ୍ଡ ପଡ଼ି ଅବସ୍ଥା ଗୁରୁତର ହୋଇଯିବ କହିହେବନି । ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ପୂର୍ବରୁ ଥିବା ଏହି ଗୌରବମୟ ଶିକ୍ଷାନୁଷ୍ଠାନ ରେ ଏବେ କର୍ପୁର ଉଡିଯାଇଥିବା ବେଳେ କେବଳ କନା ହିଁ ପଡ଼ି ରହିଛି ।