
ଚୌଦ୍ଵାର (ଶିବବ୍ରତ ଦାସ ): ପୋଷାକ ବଦଳିଲେ ଲୋକ ସେବାର ମନୋଭାବ ବଦଳେ କି? ଚୌଦ୍ଵାରର ଲୋକମାନେ ଏହି ପ୍ରଶ୍ନ ଏବେ ଖୋଲାମେଲା ଭାବେ କହୁଛନ୍ତି। ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପୋଷାକର ରଙ୍ଗ ପରିବର୍ତ୍ତନ ପରେ ସକାଳୁ ସକାଳୁ ଚୌଦ୍ଵାର ପୌରପାଳିକାର ସମସ୍ତ ୱାର୍ଡରେ ବୁଲୁଥିବା ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ତୁଳନାରେ ଅଧିକ ହସୁଛନ୍ତି। ସାଙ୍ଗରେ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ପାରିଷଦ, ଦୃଶ୍ୟ ଦେଖିଲେ ମନେ ପଡ଼ୁଛି ଯେଉଁପରି ନିର୍ବାଚନୀ ପ୍ରଚାରର ଡେମୋ ଚାଲିଛି। କିନ୍ତୁ ଏହି “ପ୍ରାତଃ ଭ୍ରମଣ” ଲୋକଙ୍କ ସମସ୍ୟାର ସମାଧାନ ନୁହେଁ ବରଂ ଅସନ୍ତୋଷକୁ ଆହୁରି ଭଲ ଭାବେ ଉଦ୍ଭାସିତ କରୁଛି। ୱାର୍ଡରେ ଉନ୍ନତି କେଉଁଠି? ରାସ୍ତା ଭାଙ୍ଗିଗଲା, ଡ୍ରେନ୍ ଭରିଗଲା, ମୌଳିକ ସୁବିଧା ଶୂନ୍ୟ—ଏହି ପ୍ରଶ୍ନର ଉତ୍ତର କେହି ଦେଉନାହାନ୍ତି ଏପରିକି ବିଧାୟକ ଅଦୃଶ୍ୟ ଏହାର ଉତ୍ତର ଦେବାକୁ । ଲୋକମାନେ କହୁଛନ୍ତି ଉନ୍ନତି କାଗଜରେ ଅଛି, ଭୂମିରେ ନୁହେଁ। ବର୍ତ୍ତମାନ ବିଧାୟକ ସୌଭିକ୍ ବିଶ୍ୱାଳଙ୍କୁ ନେଇ ମଧ୍ୟ କଟାକ୍ଷ ଶୁଣିବାକୁ ମିଳୁଛି। ନିର୍ବାଚନ ବେଳେ ଦେଖା ଦେଇ ପ୍ରତିଶ୍ରୁତିର ପୋଖରୀ ତିଆରି କରନ୍ତି, ଆଉ ତାପରେ “ବନବାସ” ରେ ଏହି ଅଭିଯୋଗ ଏବେ ସାଧାରଣ କଥା ହୋଇପଡ଼ିଛି। ପାରିଷଦଙ୍କ ଅବସ୍ଥା ମଧ୍ୟ କମ୍ ହସ୍ୟାସ୍ପଦ ନୁହେଁ। କେଉଁଠି ନିଜ ୱାର୍ଡ ଆରମ୍ଭ ଓ କେଉଁଠି ଶେଷ—ସେଥିପାଇଁ ମଧ୍ୟ ସ୍ପଷ୍ଟ ଧାରଣା ନଥିବା କଥା ଲୋକମାନେ କହୁଛନ୍ତି। ତେବେ ଏମାନେ ଉନ୍ନତି କେମିତି କରିବେ? ଏପରିକି କିଛି ମହିଳାଙ୍କୁ ପୌର ଅଧ୍ୟକ୍ଷା ପଦର ସ୍ୱପ୍ନ ଦେଖାଯାଉଥିବା ଖବର ମଧ୍ୟ ଚର୍ଚ୍ଚାରେ—ଏହାକୁ ଲୋକମାନେ “ଆଶ୍ୱାସନର ରାଜନୀତି” ବୋଲି କହୁଛନ୍ତି। ଏହି ସବୁ ମଧ୍ୟରେ ଡ୍ରେନେଜ୍ ସମସ୍ୟା ଚୌଦ୍ଵାରରେ ଭୟାବହ ରୂପ ନେଇଛି। ନାଙ୍ଗୁଡ଼ିଆ ପୋକ ଘରକୁ ପଶୁଛି, ଲୋକ ଅସୁବିଧାରେ ରହୁଛନ୍ତି କିନ୍ତୁ ନେତାଙ୍କ ଦୃଷ୍ଟି କେବଳ ଭୋଟ ଉପରେ। ଶେଷରେ ଲୋକମାନେ କହୁଛନ୍ତି— ଚୌଦ୍ଵାରରେ ଉନ୍ନତି ନୁହେଁ, ଚାଲିଛି ରାଜନୀତି ନାଟକର ଡେମୋ।