ନୂଆପଡ଼ାରେ ରବି ଧାନ ସୁଚାରୁ ଅଧିଗ୍ରହଣ ପାଇଁ ବୈଠକ: ବାହାର ରାଜ୍ୟର ଧାନ ବିକ୍ରୟକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ- ଜ଼ିଲ୍ଲାପାଳ

ନୂଆପଡ଼ା, ତା ୨୫/୦୫ (ପରମେଶ୍ୱର ମେହେର): ନୂଆପଡ଼ା ଜ଼ିଲ୍ଲାରେ ରବି ଧାନର ସୁଚାରୁ ଅଧିଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲାପାଳ ଓଡ଼ିଶାର ମଣ୍ଡିଗୁଡ଼ିକରେ ବାହାର ରାଜ୍ୟର ଧାନ ବିକ୍ରୟ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେl ଏପରି ଅବୈଧ କାର୍ଯ୍ୟକଳାପ ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ପୋଲିସ, ଆରଏମସି ଓ ଯୋଗାଣ ବିଭାଗ ପକ୍ଷରୁ କଡ଼ା ଯାଞ୍ଚ ଜାରି ରହିଛି ।
ଜିଲ୍ଲାରେ ଧାନ କ୍ରୟ ପାଇଁ ୫୧ଟି ମଣ୍ଡି କାର୍ଯ୍ୟକ୍ଷମ ରହିଛି l ବାହାର ରାଜ୍ୟର ଧାନ ଜ଼ିଲ୍ଲା ମଣ୍ଡିରେ ବିକ୍ରୟ ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛିl ସୂଚନାଦାତାଙ୍କ ନାମ ସଂପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହି ବୈଠକରେ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ ଯେ, ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାଡ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାର ଖୋଲନା ଚେକପୋଷ୍ଟ ନିକଟରେ ଏକ ଗାଡ଼ିରୁ ୩୩.୭୮ କ୍ୱିଣ୍ଟାଲ ଅବୈଧ ଧାନ ଜବତ କରାଯାଇଛି।