ଅଖ ଓ ଚଉଦନାହାକା ଶେଷ, ରଥ ଦଣ୍ଡା ହଣା କାର୍ଯ୍ୟ ଆରମ୍ଭ…

ପୁରୀ,୨୫/୦୫(ବଳରାମ ତ୍ରିପାଠି): ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ଆଗେଇ ଚାଲିଛି ରଥତ୍ରୟ ନିର୍ମାଣ କାମ । ଆଜି ରଥଖଳାରେ ତିନି ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ସହ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଦଣ୍ଡ ହଣା କାର୍ଯ୍ୟ ବିଶ୍ବକର୍ମା ସେବକମାନେ ବ୍ୟସ୍ତ ରହିଛନ୍ତି। ଆଗକୁ ଗରଗରାରେ ବିନ୍ଧ କରାଯିବ।ରବିବାର ରଥତ୍ରୟର ଅଖ ଓ ଚଉଦନାହାକା ହଣା ଶେଷ ହୋଇଥିଲା । ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ମହାପ୍ରଭୁଙ୍କ ରଥର ଚଉଦନାହାକା କାମ ସରିଛି । ଚଉଦନାହାକା ଅଷ୍ଟ କୋଣୀ କାଠ । ଏଥିସହ ଭୂଇଁ ଚଉତା ଓ ଗରଗରା ହଣା ସରିଛି । ଚଉତାରେ ବିନ୍ଧ ନିର୍ମାଣ ସରିଛି । ନନ୍ଦିଘୋଷର ୮ ଅଖ ସମ୍ପୂର୍ଣ୍ଣ ହୋଇଛି । ଦଣ୍ଡା ଅନୁକୂଳ ହୋଇ ହଣା ସରିଲେ ମାପଚୁପ ହୋଇ ସେହି ଅନୁସାରେ ଗରଗରାରେ ବିନ୍ଧ କରାଯିବ ବୋଲି ମୁଖ୍ୟ ବିଶ୍ୱକର୍ମା ଶ୍ରୀ ମହାପାତ୍ର କହିଛନ୍ତି ।ନନ୍ଦିଘୋଷର ଗରଗରା ଚଉପଟ ହୋଇ ସାଇତା ରହିଛି । ଚକ ଅଖ ସଂଯୋଗ ହୋଇ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଏଣୁ ଦଣ୍ଡା ରହିଲା ପରେ ଯେଉଁ ମାପ ଆସିବ ସେହି ଅନୁସାରେ ନନ୍ଦିଘୋଷ ଗରଗରାରେ ବିନ୍ଧ ହେବ । ଦେବଦଳନର ଅଖ ନିର୍ମାଣ ଶେଷ ହୋଇଛି । ଏହାର ୬ଟି ଅଖରୁ ସାନଉଛୁଳା ଅଖ ଦୁର୍ବଳ ପଡ଼ିବାରେ ଆଉ ଥରେ ତିଆରି ହୋଇ ଆଜି ସରିଛି । ତାଳଧ୍ୱଜର ୭ ଅଖ ନିର୍ମାଣ ଶେଷ ସହ ରଥତ୍ରୟର ୨୧ ଅଖ ନିର୍ମାଣ ସରିଲା । କରତି ସେବକମାନେ ପୋଲ ଗୟଳ ନିର୍ମାଣ ଜାରି ରଖିଛନ୍ତି ।ରବିବାର ତାଳଧ୍ୱଜର ପୋଲ ଗୟଳ ତିଆରି ସରିବାରେ ନନ୍ଦିଘୋଷ ରଥ ପୋଲ ଗୟଳ ପାଇଁ କାଠ ଯୋଗାଇଛନ୍ତି ଭୋଇ ସେବକ । ରୂପକାର ତିନି ରଥର ସାଲ ଗୁଜରେ ରୂପ ଖୋଦେଇ ସାରି ରଥର ୮ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ନିହଣ ମୁଗୁର ସାହାଯ୍ୟରେ ତିଆରୁଛନ୍ତି । କମାର ସେବକମାନେ ଦୋଳବେଦିରେ ତିନି ରଥର ଅଖ କଣ୍ଟା, ଦଣ୍ଡା କଣ୍ଟା ତିଆରୁଛନ୍ତି । ପାହି ମହାରଣା ଅଣସର ଓ ରଥ ଯାତ୍ରାରେ ଠାକୁରଙ୍କ ସେବାର୍ଚ୍ଚନାରେ ଲାଗିବାକୁ ଉପକରଣ ପ୍ରସ୍ତୁତ କରୁଛନ୍ତି ।