ଉନ୍ନତି ନା ଜବରଦସ୍ତି? ତୁରନ୍ତ ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ଚୌଦ୍ଵାର (ଶିବବ୍ରତ ଦାସ )): ଉନ୍ନତିର ନାମରେ ଚାଲିଛି କି ମନମୁଖୀ କାର୍ଯ୍ୟ? ଚୌଦ୍ଵାର ପୌରପାଳିକାର ଏକପକ୍ଷୀୟ ସିଦ୍ଧାନ୍ତକୁ ନେଇ ଏବେ ଆଗ୍ରାହାଟ ପଞ୍ଚାୟତ ବାସୀଙ୍କ ଜୋରଦାର ବିରୋଧ। ସରକାରୀ ଜମିକୁ ଜବରଦଖଲ କରିଥିବା ଲୋକଙ୍କ ପ୍ରତି ଅହେତୁକ “ମମତା” ଦେଖାଇ ସ୍ଥାନୀୟ ପାରିଷଦ ଓ ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ବାଳ କାହାକୁ ସନ୍ତୁଷ୍ଟ କରୁଛନ୍ତି— ଏହି ପ୍ରଶ୍ନ ଏବେ ସର୍ବସାଧାରଣଙ୍କ ମନରେ।ପଞ୍ଚାୟତବାସୀଙ୍କ ଅଭିଯୋଗ, ବିନା ଅନୁମତିରେ ଜୋର୍-ଜବରଦସ୍ତି ଭାବେ ୱାର୍ଡର ବର୍ଜ୍ୟ ଜଳକୁ ପଞ୍ଚାୟତ ମଧ୍ୟକୁ ପ୍ରବେଶ କରାଇବା ପାଇଁ ଦ୍ରୁତ ଗତିରେ କାମ ଚାଲିଛି। ଏହି କାର୍ଯ୍ୟରେ ପାରିଷଦଙ୍କ ସହ ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଭୂମିକାକୁ ନେଇ ମଧ୍ୟ ସ୍ପଷ୍ଟ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରେ ଅସନ୍ତୁଷ୍ଟ ଯୁବଗୋଷ୍ଠୀ ଓ ଗ୍ରାମର ମୁରବିମାନେ ଏକତ୍ରିତ ହୋଇ କାର୍ଯ୍ୟସ୍ଥଳରେ ପହଞ୍ଚି ବିରୋଧ ଜଣାଇଥିଲେ। “ଏହି କଲଭର୍ଟ କାହା ପାଇଁ? କିଏ ହେବ ଲାଭାନ୍ୱିତ?” — ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଯଦି ବର୍ଜ୍ୟଜଳ ପଞ୍ଚାୟତକୁ ପଶେ, ତେବେ ରୋଗବ୍ୟାଧି ବ୍ୟାପିବା ସହିତ ନିକଟସ୍ଥ ପୋଖରୀ ଓ ବଇଦେଶ୍ୱର ମନ୍ଦିରର କୂଅ ପାଣି ମଧ୍ୟ ଦୂଷିତ ହୋଇପଡ଼ିବ। ଯେଉଁ ପାଣି ଉପରେ ଦୈନିକ ଜୀବନ ନିର୍ଭର କରୁଛି, ସେହି ପାଣିକୁ ନଷ୍ଟ କରିବାର ଏହି ପ୍ରୟାସ କେତେ ଯୁକ୍ତିସଙ୍ଗତ? ଏହା ସହିତ ଚାଷଜମି ନଷ୍ଟ ହେବା ଓ ଗାଈଗୋରୁ ଓ ବନ୍ୟଜନ୍ତୁ ରୋଗଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ଉଠିଛି। ତଥାପି ପ୍ରଶାସନର ନୀରବତା ପ୍ରଶ୍ନକୁ ଆହୁରି ଗଭୀର କରୁଛି। ଗତ କିଛି ମାସ ପୂର୍ବରୁ ଏହି ଅଞ୍ଚଳରେ ଏଭଳି ଘଟଣା ଦେଖାଯାଇଥିଲା ଓ ଆଲୋଚନା ପରେ ସମାଧାନ ହୋଇଥିଲା। କିନ୍ତୁ ପୁଣିଥରେ ସେହି ପୁରୁଣା ଗଳ୍ପର ପୁନରାବୃତ୍ତି — ଏହାକୁ ଉନ୍ନତି କହିବା ଉଚିତ୍, ନା ଜନସାଧାରଣଙ୍କ ସହ ଖେଳ? ପଞ୍ଚାୟତବାସୀ ସ୍ପଷ୍ଟ ସତର୍କବାଣୀ ଦେଇଛନ୍ତି — ଯଦି ଶୀଘ୍ର ସ୍ଥାୟୀ ସମାଧାନ ନହୁଏ, ତେବେ ଆନ୍ଦୋଳନ ଆଗାମୀ ଦିନରେ ଉଗ୍ର ରୂପ ନେବା ନିଶ୍ଚିତ।