ଭଞ୍ଜନଗର କୋର୍ଟ ପାଇଁ ଗୌରବ: ଓସିଏସ ପରୀକ୍ଷାରେ ୧୮୭ ରେଙ୍କରେ ଉତ୍ତୀର୍ଣ୍ଣ ହେଲେ ସଂଘମିତ୍ରା

ଭଞ୍ଜନଗର, ୨୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଓପିଏସସି ଦ୍ୱାରା ପରିଚାଳିତ ଓସିଏସ-୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ସଂଘମିତ୍ରା ପାତ୍ର ୧୮୭ନଂ ରେଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।ଏହି ସଫଳତା ପାଇଁ ବୁଧବାର କୋର୍ଟ ପରିସରରେ ତାଙ୍କୁ ସହକର୍ମୀ ଓ ଓକିଲ ବନ୍ଧୁମାନେ ମିଠା ଖୁଆଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସଂଘମିତ୍ରାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନୂଆ ସାହିରେ ହୋଇଥିବା ବେଳେ ଏହା ପୂର୍ବରୁ ସେ ଲାଞ୍ଜିଗଡ଼ ବେଦାନ୍ତରେ ୪ମାସ କାର୍ଯ୍ୟ କରିଥିଲେ। ଗତ ୨୩ମେ ୨୦୨୬ ତାରିଖରେ ସେ ଭଞ୍ଜନଗର କୋର୍ଟରେ ଚାକିରୀରେ ଯୋଗ ଦେଇଛନ୍ତି।ସଂଘମିତ୍ରା ଶିକ୍ଷାପାଇଁ ପ୍ରଥମେ ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ନବୋଦୟ ବିଦ୍ୟାଳୟରେ ଯୁକ୍ତ ଦୁଇ ଶେଷ କରି ବ୍ରହ୍ମପୁର ଶଶୀଭୁଷଣ ରଥ ମହାବିଦ୍ୟାଳୟ ରେ ଯୁକ୍ତ ତିନି ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ।୨୦୨୩ରେ ଭୁବନେଶ୍ୱର ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସିଭିଲ ସର୍ଭିସ ସମ୍ପର୍କିତ କୋଚିଙ୍ଗ ନେଇଥିଲେ।ତାଙ୍କ ପିତା ଧ୍ରୁବ ଚରଣ ପାତ୍ର ଜଣେ କିରାଣୀ ହୋଇଥିବା ବେଳେ ମାତା ଗୀତାଞ୍ଜଳି ପାତ୍ର ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।ଘରର ବଡ଼ଝିଅ ହେଉଛନ୍ତି ସଂଘମିତ୍ରା। ତାଙ୍କର ଏହି ସଫଳତା ପାଇଁ ସେ ଭଗବାନଙ୍କ ଆଶୀର୍ବାଦ, ପିତାମାତା, ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ଙ୍କୁ ଶ୍ରେୟ ଦେଇଛନ୍ତି।କଠିନ ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ତାଙ୍କୁ ପ୍ରଥମ ଚେଷ୍ଟାରେ ହିଁ ଆଜି ସଫଳ କରିଛି, ପୁଣିଥରେ ପରୀକ୍ଷା ଦେଇ ଭଲ ରେଙ୍କ ପାଇବା ପାଇଁ ଆଶାବାଦୀ ବୋଲି ସଂଘମିତ୍ରା ନିଜ ପ୍ରତିକ୍ରିୟାରେ କହିଛନ୍ତି।