ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏସପିଙ୍କ ସମୀକ୍ଷା ବୈଠକ

ପୁରୀ, ୨୭/୫ (ବଳରାମ ତ୍ରିପାଠି): ଆଜି ପୁରୀ ପୋଲିସ କାର୍ଯ୍ୟାଳୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ସବ୍‌ଡିଭିଜନର ଡିଏସ୍‌ପିମାନେ, ବିଭିନ୍ନ ଥାନାର ଥାନା ଅଧିକାରୀମାନେ, ଫାଣ୍ଡି ଅଧିକାରୀମାନେ ଓ ହେଡକ୍ୱାର୍ଟରର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଏସ୍ପି ଶ୍ରୀ ସୁଶୀଲ କୁମାର ମିଶ୍ର, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ ଓ ମିସ ଅନଖା କେ ବିଜୟ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା, ବିଭିନ୍ନ ଅପରାଧିକ ମାମଲାର ତ୍ୱରିତ ତଦନ୍ତ ଓ ସମାଧାନ, ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସର କାର୍ଯ୍ୟକଳାପକୁ ଆହୁରି ଦୃଶ୍ୟମାନ ଓ ବିଶ୍ୱାସଯୋଗ୍ୟ କରିବା। ଏସ୍ପି ପୁରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ କେସ୍‌ଗୁଡିକର ନିୟମିତ ଓ ପ୍ରଭାବଶାଳୀ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଯେଉଁ କେସ୍‌ଗୁଡିକ ଦୀର୍ଘଦିନ ଧରି ଅଛି, ସେଗୁଡିକର ଶୀଘ୍ର ସମାଧାନ ପାଇଁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ତଦନ୍ତରେ ପ୍ରଯୁକ୍ତିର ବ୍ୟବହାର, ସାଇବର ସମ୍ବନ୍ଧୀୟ ଅପରାଧ ଉପରେ ସଚେତନତା ଓ ମହିଳା ଏବଂ ବୃଦ୍ଧଙ୍କ ସୁରକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ବୈଠକରେ ଗ୍ରାମାଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା କ୍ରୋନିକ୍ ଡିସ୍ପ୍ୟୁଟ୍‌ଗୁଡିକ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜମିଜମା, ପାରିବାରିକ ବିବାଦ, ଗାଁ ସ୍ତରର ଦ୍ଵନ୍ଦ ଓ ଅନ୍ୟାନ୍ୟ ସାମାଜିକ ଦ୍ଵନ୍ଦ କିପରି ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ଭାବରେ ସମାଧାନ କରାଯାଇପାରିବ, ସେଥିପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ନିୟମିତ ଶାନ୍ତି କମିଟି ବୈଠକ କରିବାକୁ ପରାମର୍ଶ ଦିଆଯାଇଥିଲା।ଏହା ସହିତ ଆଗାମୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଭକ୍ତମାନଙ୍କ ସୁବିଧାକୁ ନଜରରେ ରଖି ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ରଥଯାତ୍ରା ସମୟରେ ପୁରୀ ଜିଲ୍ଲାକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ସମସ୍ତ ପୋଲିସ ଅଧିକାରୀଙ୍କୁ ଉଚ୍ଚ ସତର୍କତାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସମୁଦ୍ର ବେଳାଭୂମି, ଶ୍ରୀମନ୍ଦିର ପରିସର, ବଡ଼ଦାଣ୍ଡ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ପେଟ୍ରୋଲିଂ, ନଜରଦାରୀ, କ୍ୱିକ୍ ରିସ୍ପନ୍ସ ଟିମ୍ ଓ ସହାୟତା କେନ୍ଦ୍ର ମାଧ୍ୟମରେ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ଯୋଜନା ନେଇ ଆଲୋଚନା କରାଯାଇଥିଲା। ଏସ୍ପି ପୁରୀ ଏହି ବୈଠକରେ ସମସ୍ତ ଅଧିକାରୀଙ୍କୁ ସାଧାରଣ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା, ସମସ୍ୟାଗୁଡିକୁ ସମ୍ବେଦନଶୀଳତାର ସହିତ ଶୁଣିବା ଓ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ବିଶ୍ୱାସ ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ।ଶେଷରେ ସମସ୍ତ ଅଧିକାରୀ ଆଗାମୀ ଦିନଗୁଡିକରେ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମନ୍ୱୟ ରଖି କାମ କରିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।