
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ଅଞ୍ଚଳରେ ରାସ୍ତାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ରାସ୍ତା ଉପରେ ରାଜନୀତି ସହିତ ଦାଦାଗିରି ଚାଲିଥିବା ଅଭିଯୋଗ ଉଠିଛି। ଇଡକୋ ଓ ତାହାର ସଂପୃକ୍ତ ଦଲାଲଙ୍କ ଗୁ ପ୍ତ କାର୍ଯ୍ୟକଳାପ ଏବେ ସାମ୍ନାକୁ ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ରାସ୍ତାଟି ବାସ୍ତବରେ କାହାର—R&B କିମ୍ବା ଇଡକୋ, ଏହାକୁ ନେଇ ଅସ୍ପଷ୍ଟତା ଜାରି ରହିଛି। ଏହି ପ୍ରସଙ୍ଗରେ ଆଜି ସ୍ଥାନୀୟ ଲୋକମାନେ R&B କାର୍ଯ୍ୟାଳୟକୁ ପହଞ୍ଚି ସ୍ପଷ୍ଟତା ଚାହିଁଥିଲେ। ଯଦି ରାସ୍ତା R&B ଅଧୀନରେ, ତେବେ ଇଡକୋ କାହିଁକି ଏଠାରେ କାର୍ଯ୍ୟକଳାପ କରୁଛି ଓ କିଛି ଆତ୍ମଘୋଷିତ କୁଜିନେତା ଦଲାଲ ସାଜି କାହିଁକି ଦାଦାଗିରି ଦେଖାଉଛନ୍ତି? R&B ପକ୍ଷରୁ ଜଣାପଡ଼ିଛି ଯେ ଏନେଇ ଇଡକୋ ଓ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ଚିଠି କରାଯାଇଛି। ତଥାପି ଏପର୍ଯ୍ୟନ୍ତ ପ୍ରାୟୋଗିକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ। ଏପଟେ ଅଭିଯୋଗ ଆହୁରି ଗମ୍ଭୀର ଆକାର ନେଇଛି। ସ୍ଥାନୀୟ ବ୍ୟବସାୟୀମାନଙ୍କ କହିବା ଅନୁସାରେ, ଇଡକୋ ସଂପୃକ୍ତ ଦଲାଲମାନେ ସେମାନଙ୍କୁ ଧମକ ଦେଉଛନ୍ତି ଓ କୌଣସି ସରକାରୀ ଦସ୍ତାବିତ୍ ନଥାଇ ଦୋକାନ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି ଯେ ଦିନରେ ଦାଦାଗିରି ଓ ରାତିରେ ମୋରମ ଚୋରି, ଏହା ପଛରେ ଏକ ବଡ଼ ଅନ୍ତର୍ନିହିତ ଚକ୍ର ଥିବା ସନ୍ଦେହ ବ୍ୟକ୍ତ କରାଯାଉଛି। ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ପ୍ରଶାସନର ନିରବତା। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ କିମ୍ବା ଜବାବଦେହିତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି—କେବେ ଏହି ଦୁର୍ନୀତିର ପର୍ଦାଫାସ ହେବ ଓ କେବେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ ନକରାଯାଏ, ପରିସ୍ଥିତି ଉଗ୍ର ରୂପ ନେଇପାରେ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରଶାସନର ପଦକ୍ଷେପ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।