
ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ଵାର ଅଞ୍ଚଳରେ ରାତି ପାହିଲେ ଆରମ୍ଭ ହେଉଛି ମାଟି,ମୋରମ ଓ କୋଇଲା ଛାଇର ଚୋରା କାରବାର। ପ୍ରତିଦିନ ଅନ୍ଧାର ରାତିରେ ଏହି ଅବୈଧ ଚାଲାଣ ଚାଲିଥିବା ବେଳେ ପୋଲିସ ଓ ଖଣି ବିଭାଗଙ୍କ ଆଖିରେ ଧୂଳିଦେଇ ମାଫିଆମାନେ ନିର୍ଭୟରେ ତାଙ୍କ କାରବାର ଚାଲୁ ରଖିଛନ୍ତି। ଏହି ଚୋରା କାରବାରର ମୁଖ୍ୟ ନାୟକ ଭାବେ ବାଣୀପଦା ଅଞ୍ଚଳର ତପନ ବରାଳଙ୍କ ନାମ ସାମ୍ନାକୁ ଆସୁଛି। କିଛି ସହଯୋଗୀଙ୍କ ସହ ମିଶି ସେ ରାତିରେ ଅବୈଧ ଚାଲାଣ କରି ଲକ୍ଷାଧିକ ଟଙ୍କା ଅର୍ଜନ କରୁଥିବା ଅଭିଯୋଗ ହେଉଛି। କିଛି ଦିନ ପୂର୍ବରୁ ମଣ୍ଡାପଡ଼ା ରାସ୍ତାରେ ଚୋରା ମୋରମ ଚାଲାଣ ସମୟରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଚୌଦ୍ଵାର ପୋଲିସ ଗାଡ଼ିଟିକୁ ଜବତ କରି ଥାନାରେ ଅଟକ ରଖିଛି। ତଥାପି ଏହି ଅବୈଧ କାରବାରରେ କୌଣସି ରୋକ ଲାଗିନାହିଁ। ପୁଣି ଆଜି ଚୌଦ୍ଵାର ପୋଲିସ ଏକ ଅନ୍ୟ ଗାଡ଼ି (ଓଡ଼ି.୦୫.ବିଭି.୨୦୨୬) କୁ ଜବତ କରିଛି, ଯେଉଁଥିରେ କୋଇଲା ଛାଇ ଲୋଡ୍ ହୋଇଛି। ଏହି ଘଟଣା ଦେଖି ସ୍ପଷ୍ଟ ଅନୁମାନ ହେଉଛି ଯେ, ଆଇନକୁ ଚ୍ୟାଲେଞ୍ଜ କରି ମାଫିଆମାନେ ନିରନ୍ତର ଭାବେ ଏହି ଚୋରା କାରବାର କରୁଛନ୍ତି। ଅନ୍ୟପଟେ, ପ୍ରଶାସନ ଦ୍ୱାରା କେବଳ ସ୍ୱଳ୍ପ ଜୋରିମାନା କରାଯାଉଥିବାରୁ ଏହି ଅବୈଧ କାରବାରକୁ ଅଟକାଇବାରେ ବିଫଳତା ଦେଖାଯାଉଛି। ଫଳସ୍ୱରୂପ, ଦିନକୁ ଦିନ ଏହାର ପ୍ରଭାବ ବଢୁଥିବା ଦେଖା ଯାଉଛି। ବୁଦ୍ଧିଜୀବୀମାନଙ୍କ ମତ ଅନୁଯାୟୀ ଏହି ଗାଡ଼ିମାନଙ୍କ ଉପରେ ଭାରି ଅର୍ଥଦଣ୍ଡ ସହ ଗାଡ଼ି ମାଲିକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମାତ୍ର ଏହି ଚୋରା କାରବାରରେ ରୋକ ଲାଗିପାରିବ। କାହା ସାହସରେ ଏଭଳି ଚୋରା ଚାଲାଣ ଚାଲିଛି? କିଏ ଦେଉଛି ଏହି ମାଫିଆଙ୍କୁ ସୁରକ୍ଷା? ଯଦି ପୋଲିସ ପଦକ୍ଷେପ ନେଉଛି, ତେବେ ଖଣି ବିଭାଗ କେଉଁଠି? ଏହି ସବୁ ପ୍ରଶ୍ନ ଏବେ ଚୌଦ୍ଵାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। କେବେ ପ୍ରଶାସନ ଜାଗିବ ଏବଂ ଏହି ଅବୈଧ କାରବାରରେ ରୋକ ଲାଗିବ, ତାହା ଏବେ ସମୟ ହିଁ କହିବ।