ଓଡ଼ିଶା ଟୁଡେ ରେ ଖବର ପ୍ରସାରଣ ପରେ ବନ୍ଦ ହେଲା ବେଆଇନ କାର୍ଯ୍ୟ; ନକଲି ସୁପରଭାଇଜର ଓ ଦଲାଲଙ୍କ ମୁହଁ ଟାଣ ବନ୍ଦ

ଚୌଦ୍ଵାର(ଶିବବ୍ରତ ଦାସ ): ଓ.ଟି.ଏମ୍ ଦୁର୍ଗା ବଜାର ଅଞ୍ଚଳରେ ଏବେ ଉନ୍ନତିର ନାଁରେ ଚାଲିଛି ଦାଦାଗିରିର ଖୋଲା ଖେଳ। ଆଇନ କେଉଁଠି? ପ୍ରଶାସନ କାହିଁକି ନିରବ? ବାରମ୍ବାର ଏହି ଖବର ପ୍ରସାରଣ ପରେ ପ୍ରଶାସନ ବନ୍ଦ କଲା ବେଆଇନ ରାସ୍ତା କାର୍ଯ୍ୟ. ଆଜି ଦୁର୍ଗା ବଜାରର ବ୍ୟବସାୟୀ ଓ ବାସିନ୍ଦାମାନେ ଏକତ୍ରିତ ହୋଇ ଚୌଦ୍ଵାର ଥାନାର ଦ୍ବାରସ୍ଥ ହେବା ସହିତ ଜିଲ୍ଲାପାଳ (କଟକ), ଡିସିପି (କଟକ), ଉପଜିଲ୍ଲାପାଳ, ଟାଙ୍ଗୀ ଚୌଦ୍ଵାର ତହସିଲଦାର, R&B ଚାରବାଟିଆ ଓ ଚୌଦ୍ଵାର ପୌର ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଇଡକୋର ନାଁ ନେଇ କିଛି ଦଲାଲ ନିଜେ ଆଇନ ହୋଇଯାଇଛନ୍ତି।କୌଣସି ନୋଟିସ ନାହିଁ, କୌଣସି ଅଧିକାରୀ ନାହାନ୍ତି—ତଥାପି ଦୋକାନ ଓ ଘର ଭଙ୍ଗାଯାଉଛି। ଫଳରେ ନିର୍ଦୋଷ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି—ଏହି ଅବୈଧ କାର୍ଯ୍ୟ କାହାର ଇଙ୍ଗିତରେ? ଦୁଇଦିନ ପୂର୍ବେ ଏହି ଘଟଣାଟି ଖବରକାଗଜରେ ସ୍ଥାନ ପାଇବା ପରେ ଆଜି ଲୋକମାନେ ଚୁପ୍ ରହିଲେ ନାହିଁ। ଅଭିଯୋଗରେ ସ୍ପଷ୍ଟ ଭାବେ ୪ ଟି ଦାବିକୁ ଅନୁରୋଧ କରିଛନ୍ତି। ତେବେ ଜୋରଦାର ବିରୋଧ ପରେ ଅବଶେଷରେ ଆଜି ପାଇଁ ବନ୍ଦ ହେଲା ଭଙ୍ଗାରୁଜା ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ। ଏବେ ସମସ୍ତଙ୍କର ନଜର ପ୍ରଶାସନ ଉପରେ। ଅଭିଯୋଗ ପରେ କି ସତରେ ତଦନ୍ତ ହେବ? ଦଲାଲମାନଙ୍କ ଉପରେ କି ଆଇନର ନଜର ପଡ଼ିବ? ନା ଆଉ ଏକ ଫାଇଲ୍‌ରେ ରହିଯିବ ଲୋକଙ୍କ ଦୁଃଖ? ଉନ୍ନତି ଯଦି ଏଭଳି ଜୋରଜୁଲୁମରେ ହୁଏ, ତେବେ ସାଧାରଣ ଲୋକଙ୍କ ଅଧିକାର କେଉଁଠି? ସମୟ କହିବ—ନ୍ୟାୟ ମିଳିବ କି ଦାଦାଗିରି ଜିତିବ।