ନୂଆପଡ଼ାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡ଼ା, ୦୬/୦୬ (ପରମେଶ୍ୱର ମେହେର): ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ଜନସମ୍ପର୍କ କାର୍ଯ୍ୟକ୍ରମକୁ ସଫଳ ଓ ଗରିମାମୟ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜିତ ହେବାକୁ ଥିବା ଉତ୍ସବ ଓ ଜନସମ୍ପର୍କ କାର୍ଯ୍ୟକ୍ରମର ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଜନମୁଖୀ, ଅନ୍ତର୍ଭୁକ୍ତୀକରଣମୂଳକ ଓ ପ୍ରଭାବଶାଳୀ କରିବା ପାଇଁ ସୁପରିକଳ୍ପିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମ୍ଭାବ୍ୟ ସ୍ଥାନ ଚୟନ, ପରିଚାଳନା ବ୍ୟବସ୍ଥା ଓ ବିଭିନ୍ନ ବିଭାଗର ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ରାଜ୍ୟବ୍ୟାପୀ ଏହି ଜନସମ୍ପର୍କ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା। ସେହିପରି ସରକାରୀ ସେବା ଓ ଯୋଜନା ସମ୍ପର୍କିତ ସଚେତନତା ବୃଦ୍ଧି ସହିତ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗ ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ବିଭାଗ ଆଗୁଆ ଆବଶ୍ୟକ ପ୍ରସ୍ତୁତି ସମ୍ପନ୍ନ କରିବା ସହ ନିଜ ନିଜ ଦାୟିତ୍ୱକୁ ସୁଚାରୁ ଭାବେ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଉତ୍ସବ କେବଳ ସରକାରଙ୍କ ସଫଳତାର ପ୍ରଦର୍ଶନ ନୁହେଁ, ବରଂ ସାଧାରଣ ଜନତାଙ୍କ ସହ ସରକାରଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଏକ ସୁଯୋଗ ବୋଲି ସେ ମତପ୍ରକାଶ କରିଥିଲେ।