
ଭଞ୍ଜନଗର ୦୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଆଉ କାମ କରୁନାହିଁ। ବର୍ଷ ବର୍ଷ ଧରି କ୍ୟାମେରା ଅଚଳ ଅବସ୍ଥାରେ ଥିବା ବେଳେ ଏହାର ନା ମରାମତି କରାଯାଉଛି ନା’ ନୂଆ ଲଗାଯାଉଛି। ପୁଲିସ ବି ଏ ଦିଗରେ କୌଣସି ତ୍ବରିତ ପଦକ୍ଷେପ ନେବା ପରିବର୍ତ୍ତେ ହାତବାନ୍ଧି ଚୁପ୍ ବସିଛି। ଏଭଳି ସ୍ଥିତିରେ ସହରରେ ଦିନକୁ ଦିନ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ଅପରାଧିକ କାର୍ଯ୍ୟକଳାପ ଅଥବା କୌଣସି ଅପ୍ରୀତିକର ପରିସ୍ଥିତି ଉପରେ କିଭଳି ନଜର ରଖାଯାଇପାରିବ ବୋଲି ପ୍ରଶ୍ନ ଉଠୁଛି? ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଅଚଳ ସିସି କ୍ୟାମେରାକୁ କାର୍ଯ୍ୟକ୍ଷମ କରିବା ଜରୁରି ହୋଇପଡ଼ିଥିବା ସାଧାରଣରେ ଦାବି ହେଉଛି।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର। କନ୍ଧମାଳ ଓ ନୟାଗଡ ଜିଲ୍ଲା ସିମାନ୍ତ ଦକ୍ଷିଣ ଓଡିଶାର ଏକ ପ୍ରମୁଖ ସ୍ଥାନ ଭଞ୍ଜନଗର। ସବୁ ବେଳେ ବ୍ୟସ୍ତ ବହୁଳ ଥିବା ଏଇ ସହରରେ ଉପଜିଲ୍ଲାପାଳଙ୍କ କାର୍ଯାଳୟ ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଉପଖଣ୍ଡ ମେଡିକାଲ,ଏଡିଜେ କୋର୍ଟ, ବ୍ୟାଙ୍କ୍, ବସଷ୍ଟାଣ୍ଡ ଓ ଅନେକ ଶିକ୍ଷାନୁଷ୍ଠାନ ରହିଛି। ଏହା ସହ ୧୦୦ ରୁ ଉର୍ଦ୍ଧ୍ୱ ବ୍ଲକ,ଉପଖଣ୍ଡ ଓ ଜିଲ୍ଲା କାର୍ଯ୍ୟାଳୟ ରହିଛି ଏଠାରେ। ଏଠାରୁ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରୁଥିବାରୁ ପ୍ରାୟତଃ ଅଧିକାଂଶ ସମୟରେ ଏଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳେ। ଲୋକଙ୍କ ଭିଡ ଭିତରେ ଚୋରି, ଗଣ୍ଡଗୋଳ ସମେତ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସହରକୁ ସିସି କ୍ୟାମେରାର ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯିବାକୁ ପ୍ରଶାସନ ନିଷ୍ପତି ନେଇଥିଲା। ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଥିଲା। ଗତ ତିନି ବର୍ଷ ପୁର୍ବେ ଭଞ୍ଜନଗର ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଇଲାକାରେ ୪୦ରୁ ଉର୍ଦ୍ଧ୍ୱ ସିସି କ୍ୟାମେରା ଲାଗିଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।
ସହରର ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ଖାଲାସାହି ଛକ,ପୁରୁଣାବଜ଼ାର, ତହସିଲ ଛକ,ବସଷ୍ଟାଣ୍ଡ,ଏଲଆଇସି ଅଫିସ ଛକ,ଷ୍ଟେଟ୍ ବ୍ୟାଙ୍କ ଛକ, ମହାବୀର ଛକ, ଭେଜିପୁଟ, ଚକରା ବିଷୋୟୀ ଛକ, କୁଲାଡ ରୋଡ, ବେଲଗୁଣ୍ଠା ରୋଡ ଛକ ସମେତ ସହରର ଜନଗହଳିପୂର୍ଣ ସ୍ଥାନରେ ଏସବୁ କ୍ୟାମେରା ଲଗାଯାଇଥିଲା। ଏହାର ଦୁଇଟି କଣ୍ଟ୍ରୋଲ୍ ରୁମ୍ ରହିଥିଲା। ଗୋଟିଏ ପୌରପରିଷଦ କାର୍ଯ୍ୟାଳୟରେ ଥିବା ବେଳେ ଅନ୍ୟଟି ଭଞ୍ଜନଗର ଥାନାରେ ରହିଥିଲା। ସେଠାରେ ଏଲ୍ସିଡି ଲଗାଯାଇ ପୂରା ସହରର କ୍ୟାମେରା ଚିତ୍ର ଏଠାରୁ ଦେଖାଯାଉଥିଲା। ମାତ୍ର ଦୁର୍ଭାଗ୍ୟ ଯେ ଲାଗିବାର ପ୍ରାୟ ବର୍ଷକ ପରେ କ୍ୟାମେରା କାମ ନ କରିବା ସମସ୍ୟା ଆରମ୍ଭ ହୋଇଯାଇଥିଲା। ମରାମତି ନ କରିବାରୁ କ୍ରମଶଃ କ୍ୟାମେରା ଗୁଡ଼ିକ ଅଚଳ ହୋଇଗଲା। ବର୍ତ୍ତମାନ ସବୁ ସିସି କ୍ୟାମେରା ଖରାପ ହୋଇ ଖୁଣ୍ଟରେ ଝୁଲି ହୋଇ ରହିଛି। ଯାହାର ସୁଯୋଗ ନେଇ କିଛି ଠକ ଓ ବାଇକ୍ ଲୁଟେରା ଦଳ ଭଞ୍ଜନଗର ସହରରେ ସକ୍ରିୟ ହୋଇ ଉଠିଛନ୍ତି। ସହରର ବ୍ୟସ୍ତବହୁଳ ଅଞ୍ଚଳରୁ ଆଖି ପିଛୁଳାକେ ବାଇକ୍ ଲୁଟ୍ କରି ଚମ୍ପଟ ମାରୁଛନ୍ତି। ଏମିତିକି ପୁଲିସ୍ କୁ ଚକମା ଦେଇ ଥାନା ଆଗରୁ ମଧ୍ୟ ବାଇକ୍ ଚୋରି କରିନେଉଛନ୍ତି ଲୁଟେରା। ଗତ କିଛି ଦିନ ମଧ୍ୟରେ ସହରର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଏକାଧିକ ଅଭିଯୋଗ ହୋଇଛି। ହେଲେ ସିସି କ୍ୟାମେରା ଅଚଳ ହୋଇ ପଡିଥିବାରୁ ବାଇକ୍ ଚୋର ଙ୍କ ପାଖରେ ପୁଲିସ ପହଞ୍ଚି ପାରୁନାହିଁ। ଦିନ କୁ ଦିନ ବାଇକ୍ ଚୋରି ବଢୁଥିବା ବେଳେ ଜିଲ୍ଲା ପୁଲିସ କିମ୍ବା ପୌର ପରିଷଦ କର୍ତ୍ତୁପକ୍ଷ କାହିଁକି ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି, ତାହା ବୁଝାପଡୁନାହିଁ।
ସାଂପ୍ରତିକ ସମୟରେ ବିଭିନ୍ନ ଅପରାଧରେ ସୁରାକ ପାଇବାର ସିସି କ୍ୟାମେରା ପୁଲିସ ପାଇଁ ପ୍ରମୁଖ ମାଧ୍ୟମ ହୋଇଥିବା ସ୍ଥଳେ ଜିଲ୍ଲା ପୁଲିସର ଏ କ୍ଷେତ୍ରରେ ନିଷ୍କ୍ରିୟତା ଆଶ୍ଚର୍ଯ୍ୟ ଚକିତ କରୁଛି। ସତେ ଯେମିତି କୌଣସି ପ୍ରକାର ବଡ଼ଧରଣର ଅଘଟଣକୁ ପୁଲିସ ଅପେକ୍ଷା କରିଛି? ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ସହରରେ ଭିଡ଼ ବଢ଼ିବ। ଗଣ୍ଡଗୋଳ, ହିଂସାକାଣ୍ଡ ଘଟିବା ଆଶଙ୍କାକୁ ବି ଏଡ଼ାଇ ଦେଇପାରିବା ନାହିଁ। ତେଣୁ ସିସି କ୍ୟାମେରା ସୁରକ୍ଷା ବଳୟ ଭିତରେ ସହରକୁ ରଖାଯିବା ନିତାନ୍ତ ଜରୁରି ହୋଇପଡ଼ିଛି।