
ଭଞ୍ଜନଗର ୧୧/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ପୂରିଛି। ଓଡ଼ିଶାର ଶାସନ ଡୋରି ୨ବର୍ଷ ହେବ ଭାଜପା ହାତରେ ରହିଛି। ବିଜଦର ୨୪ବର୍ଷର ଶାସନକୁ ୨୦୨୪ ଜୁନ ୪ତାରିଖରେ ଜନାଦେଶ ବଦଳାଇ ଦେଇଛି। ଡବଲ ଇଞ୍ଜିନ ସରକାର ୨ବର୍ଷର ପୂର୍ତି ପାଳନ କରିବାକୁ ଅଣ୍ଟା ଭିଡ଼ିଛି। ଶାସକ ବିକାଶର କଥା କହୁଥିବା ବେଳେ ବିରୋଧୀ ବିକାଶକୁ ବିବାଦ ଆଡ଼କୁ ଭିଡ଼ିବା ଆରମ୍ଭ କଲେଣି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ସେଥିପାଇଁ ଶାସକ ଠୁ ବିରୋଧୀ ସବୁଠି କବାଟକିଳା ବୈଠକ ଚାଲିଛି। ଜନମତକୁ ଜାବୁଡ଼ି ଧରିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ରଣକୌଶଳର ଚିତ୍ର ଆଙ୍କୁଛନ୍ତି। ବିଶେଷକରି ମହିଳା ଭୋଟରଙ୍କ ଉପରେ ଦଳ ଗୁଡ଼ିକ ଫୋକସ୍ କରୁଥିବା ବେଳେ ଯୁବପିଢ଼ିଙ୍କ ମୁଡ୍ କିନ୍ତୁ ବଦଳିବାରେ ଲାଗିଛି।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ରାଜ୍ୟର ଏକ ଚର୍ଚିତ ବିଧାନସଭା ଆସନ। ଅଢେଇ ଦଶନ୍ଧି ଧରି ଏହା ଥିଲା ବିଜଦର ଗଡ଼। ରାଜ୍ୟର ନେତୃତ୍ବରେ ଭଞ୍ଜନଗର ପ୍ରମୁଖ ଭୂମିକା ନେଉଥିଲା। ବିକାଶର ଛବିକୁ ବିଜଦ ପ୍ରତିପାଦିତ କରିବା ନିମନ୍ତେ ପ୍ରୟାସ କରିଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ସବୁକିଛି ଓଲଟପାଲଟ କରିଦେଇଥିଲା। ଭଞ୍ଜନଗରରେ ବିଜଦରର ଗଡ଼ ଭୁଶୁଡ଼ିଗଲା। ନିଜର ଚତୁର ଗୋଟି ଚାଳନାରେ ବିରୋଧୀଙ୍କୁ ଧରାଶାୟୀ କରୁଥିବା ଛଅ ଥରର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ୨୪ ସାଧାରଣ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ବିଜଦର ଏହି ପରାଜୟ ପରେ ଦଳ ଏଠାରେ ଦୁର୍ବଳ ହେବାରେ ଲାଗିଛି। ନିର୍ବାଚନ ପରଠୁ ଭଞ୍ଜନଗରରେ ଆଉ ବିକ୍ରମ ଙ୍କୁ ଦେଖିବାକୁ ମିଳୁନାହିଁ। ଫଳରେ ଭଞ୍ଜନଗର ରୁ ଜଗନ୍ନାଥପ୍ରସାଦ ସବୁଆଡ଼େ ଦଳ ବିଭାଜନ ମୁହାଁ। ବହୁ ଦଳୀୟ ନେତା ଦଳ ଠୁ ଦୂରେଇଗଲେ। ବିଜଦର ଛାମୁଆ ଭାଜପା ଆଡ଼େ ଡେଇଁଲେ। ଭଞ୍ଜନଗରରୁ ଦଳଡ଼ିଆଁ ଆରମ୍ଭ ହୋଇ ଜଗନ୍ନାଥପ୍ରସାଦ ଆଡ଼େ ବ୍ୟାପିଲା। ବିଜଦ ଧୀରେଧୀରେ ଛିଡ଼ିବାର ଧାରା ଧରିଥିବା ବେଳେ ଭାଜପା ବଢ଼ି ଚାଲିଲା। ଏହା ସତ୍ବେ ମଧ୍ଯ ଛାମୁଆ ସଂଗଠନକୁ ଦଳ ସଜାଡ଼ି ପାରିନାହିଁ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜଦ କିଛି ନୂଆ ପଦକ୍ଷେପ ନେବା ନେଇ ରଣନାତି ପ୍ରସ୍ତୁତ କରାଯାଉଛି। ନିର୍ବାଚନମଣ୍ଡଳୀର ଉଭୟ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକ ସମେତ ଭଞ୍ଜନଗର ପୌରାଞ୍ଚଳରେ ବିଜଦ ସଶକ୍ତ ହେବାକୁ ପ୍ରୟାସ ଚଳାଇଛି।
ଭାଜପା ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଥସ୍ତରରୁ ସଂଗଠନକୁ ସଜାଡ଼ିବା ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଦଳର ନିର୍ଦ୍ଦେଶ ଆସିଗଲାଣି। ସେଥିପାଇଁ ମହିଳାଙ୍କୁ ସୁଭଦ୍ରା ସହାୟତା ସମ୍ପର୍କରେ ଜଣାଇବାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଯୁବପିଢ଼ିଙ୍କୁ ଦଳର ଅର୍ଥନୈତିକ ସଂସ୍କାର, ବିଦେଶ ନୀତି, ସୁଶାସନ ସମ୍ପର୍କରେ ଅବଗତ କରିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ବେଳେ ଭାଜପା ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର ଦଳର ମଙ୍ଗକୁ ସମ୍ଭାଳୁଛନ୍ତି। ଦଳର କର୍ମୀଙ୍କୁ ନିଜ ସହିତ ଯୋଡ଼ି ରଖିଥିବା ବିଧାୟକ ଶ୍ରୀ ନାୟକ ବିକାଶର ଛବିକୁ ପଞ୍ଚାୟତରେ ପରିସ୍ଫୁଟିତ କରିବାରେ ସଫଳ ହୋଇଛନ୍ତି। ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଭାଜପା ଭଞ୍ଜନଗରରେ ଅଧିକ ସୁବିଧା ଜନକ ସ୍ଥିତିରେ ରହିଛି।
ଏପରିସ୍ଥିତିରେ କଂଗ୍ରେସ କିନ୍ତୁ କନ୍ଦଳରୁ ବାହାରି ପାରିନଥିବା ପରିଲକ୍ଷିତ ହେଉଛି। ଯଦିଓ ଦଳର ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନତା ଆଣିବାର ପ୍ରୟାସ କରାଯାଇଛି। କିନ୍ତୁ ସଂଗଠନ ତୃଣମୂଳ ସ୍ତରରେ ଆଦୃତ ହୋଇପାରୁ ନଥିବା ପରିଲକ୍ଷିତ ହେଉଛି। ଏପରିକି ସଭାପତି ନିଯୁକ୍ତ ପରେ ଦଳର ବହୁ ପୁରୁଖା ନେତା ନୀରବତା ଅବଲମ୍ବନ କରୁଛନ୍ତି। କିଛି ଆଗଧାଡିର କଂଗ୍ରେସ ନେତା ଧିରେଧିରେ ଦଳଠୁ ନିଜକୁ ଦୂରେଇ ନେଲେଣି। ଯଦିଓ କଂଗ୍ରେସ ନେତା ଦଣ୍ଡପାଣି ପାତ୍ର ପୁଣିଥରେ ସକ୍ରିୟ ଭାବେ ସଂଗଠନ ସଜାଡ଼ିବାର ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଏବେବି ସୁପ୍ତ ଅବସ୍ଥାରେ ପଡି ରହିଛି। ଏପରିକି ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସେପରି ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦେଖିବାକୁ ମିଳିନାହିଁ।