
ଚୌଦ୍ଵାର (ଶିବବ୍ରତ ଦାସ ): ଟାଙ୍ଗୀ ଚୌଦ୍ୱାର ବ୍ଲକ (ଆଇ.ସି.ଡି.ଏସ୍) କାର୍ଯ୍ୟାଳୟରେ ଚାଲିଛି କଣ? ଏଠି ଫାଇଲ୍ କାମ କରେ ନା କେବଳ ଦାୟିତ୍ୱକୁ ଫାଇଲ୍ ତଳେ ଚାପି ଦିଆଯାଏ? ଜଣେ ଅଙ୍ଗନୱାଡି ସହାୟିକା ଦୀର୍ଘ ଦୁଇ ବର୍ଷ ଛଅ ମାସ ଧରି ଦରମା ପାଇନାହାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଘଟଣା ନା କାହାର ନଜରକୁ ଆସିଲା, ନା କାହାର ନିଦ ଭାଙ୍ଗିଲା!
ଦରମା ପାଇଁ ସହାୟିକା ଜଣକ ବାରମ୍ବାର କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ, ଅନୁରୋଧ କଲେ, ଗୋଡ଼ ଧରିଲେ କିନ୍ତୁ କାର୍ଯ୍ୟାଳୟର ବାବୁମାନଙ୍କ କାନରେ ଯେମିତି ତୁଳା ଠୁସା ହୋଇଥିଲା। ସରକାରୀ ବ୍ୟବସ୍ଥାରେ ଜଣେ କର୍ମଚାରୀ ୩୦ ମାସ ଧରି ଦରମା ନପାଇଲେ ମଧ୍ୟ କାହାର ଦୃଷ୍ଟି ପଡ଼ିଲା ନାହିଁ, ଏହା କିପରି ସମ୍ଭବ? ଏହାଠାରୁ ବଡ଼ ବିଡମ୍ବନା ଆଉ କଣ ହୋଇପାରେ। ବର୍ତ୍ତମାନ ଦାୟିତ୍ବ ଗ୍ରହଣ କରିଥିବା (ସିଡ଼ିପିଓ) ଙ୍କ କହିବାନୁଯାୟୀ ସହାୟିକା ଜଣକ ୨୦୨୫ ମସିହାରୁ ଅବସର ବୟସରେ ପହଞ୍ଚି ସାରିଛନ୍ତି, କିନ୍ତୁ ଅବସର ସମ୍ବନ୍ଧୀୟ ଚିଠି ମଧ୍ୟ କରାଯାଇନାହିଁ। ମାନେ କାର୍ଯ୍ୟାଳୟରେ ନିୟମ କାନୁନ ଅଛି, କିନ୍ତୁ ତାହା କେବଳ ଫାଇଲ୍ ଭିତରେ ଅଟକି ଯାଇଛି। ଦରମା ନମିଳିବାରୁ ଅସୁସ୍ଥ ସ୍ୱାମୀଙ୍କ ଚିକିତ୍ସା ମଧ୍ୟ କରାଇ ପାରିଲେ ନାହିଁ ସହାୟିକା। ଆଜି ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି। ତେବେ ଏହି ଦୁଃଖଦ ପରିସ୍ଥିତି ପାଇଁ ଦାୟୀ କିଏ? କାର୍ଯ୍ୟାଳୟର ଅବହେଳା ନା ପ୍ରଶାସନିକ ଉଦାସୀନତା? ଏବେ ଘଟଣା ସାମ୍ନାକୁ ଆସିବା ପରେ ଦୋଷ କାହାର ତାହା ଖୋଜିବା ପରିବର୍ତ୍ତେ, ଦୋଷ କେମିତି ଲୁଚାଯିବ ସେହି ଚେଷ୍ଟା ଅଧିକ ଚାଲିଛି। ପ୍ରଶ୍ନ ଉଠୁଛି, ମାସ ମାସ ଧରି ଦରମା ବନ୍ଦ ଥିବା ସହାୟିକାଙ୍କ ବିଷୟରେ କେବେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଥିଲା କି କ୍ଲର୍କ ଓ ସୁପର୍ଭାଇଜର୍? ଯଦି ଜଣାଯାଇନାହିଁ, ତେବେ ଏହା କାହାର ଦାୟିତ୍ୱହୀନତା?
ଟାଙ୍ଗୀ ଚୌଦ୍ୱାର (ଆଇ.ସି.ଡି.ଏସ୍) ବିଭାଗକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ଉଠିଥିଲା। ଏବେ ଏହି ଘଟଣା ପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଏହି ବିଭାଗ ସରକାରୀ କାର୍ଯ୍ୟଳୟ ନା ଅବ୍ୟବସ୍ଥାର ସାମ୍ରାଜ୍ୟ? ଏବେ ଦେଖିବାକୁ ବାକି ରହିଲା, ମୋହନ ସରକାର ଏହି ଘଟଣା ଉପରେ ଦୃଷ୍ଟି ଦେଉଛନ୍ତି କି ନାହିଁ। ନା ଏହି ଫାଇଲ୍ ମଧ୍ୟ ଅନ୍ୟ ଫାଇଲ୍ ଭଳି ଧୂଳି ଖାଇବ? ଅଞ୍ଚଳବାସୀଙ୍କ ଦାବି, ତୁରନ୍ତ ବକେୟା ଦରମା ପ୍ରଦାନ ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ। କାରଣ ସରକାରୀ ଚାକିରି କେବଳ କୁର୍ସିରେ ବସିବା ପାଇଁ ନୁହେଁ, ଦାୟିତ୍ୱ ପାଳନ ପାଇଁ ମଧ୍ୟ।