
ପୁରୀ, ୧୯/୦୬ (ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ରିପୋର୍ଟ): ରଥ ଖଳାରେ ରଥର ଧ୍ୱଜବତା ତିଆରି ଶେଷ ହୋଇଛି । ଦୁଆରଘଡ଼ାକୁ ମଜଭୁତ କରି ରଖିବ ଧ୍ୱଜବତା । ଏଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ । ନନ୍ଦିଘୋଷ ଚାଳିରେ ରଥର ଧୂଳି ଦଣ୍ଡା ତିଆରି ଚାଲିଛି । ଧୂଳିଦଣ୍ଡାର ଉଭୟ ପାଶ୍ୱର୍ ଗୋଲାକାର, ମଝି ଚାରିକୋଣିଆ । ଏଥିରେ ଦୁଆରଘଡ଼ା ଫିଟିଂ ହେବ । ଏପଟେ ପାରାଭାଡ଼ି ତିଆରି ପାଇଁ ପଟାକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ ।ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ରଥରେ ପଟା ବାଡ଼ିଆ ଜାରି ରହିଛି । ରଥ ଉପର ଭୂଇଁରେ ବାନେ୍ଧଣୀ କାର୍ଯ୍ୟ ତଥା କଇଁଚି ଓ ଅନ୍ଧାରିତାଗ କାମ ଶେଷ ହୋଇଛି । ଖଳାରେ ପାରାଭାଡ଼ି ତିଆରି ଅଧା ରହିଛି । ଖଳାକୁ ପଟା ଯୋଗାଗଲେ ପାରାଭାଡ଼ି ଫିଟିଂ ହେବ । ଘୋଡ଼ା ଲାଗିବାକୁ ଈଶ ଓ ଜୁଆଳି ତିଆରି ସରିଛି । ଆଶାବାଡ଼ି ତିଆରି ପାଇଁ କାଠ ଖଳାକୁ ଆସିଛି ।ରୂପକାର ସେବକମାନେ ୪ଟି ଲେଖାଏଁ ନାଟଗୋଡ଼ରେ କନ୍ଦର୍ପ ମୂର୍ତ୍ତି ଖୋଦେଇ କରି ଚିତ୍ରକରଙ୍କୁ ଦେଇଛନ୍ତି । ବାକି ୪ଟି ଲେଖାଏଁ ନାଟଗୋଡ଼ରେ କନ୍ଦର୍ପ ମୂତ୍ତି ର୍ ତିଆରୁଛନ୍ତି ରୂପକାର । ଚିତ୍ରକର ସେବକମାନେ ରଥରେ ପ୍ରାଇମର ଦେବା ପରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି । ପାଶ୍ୱର୍ଦେବତା ଓ ସଖୀ ଆଦି ମୂର୍ତ୍ତି ରଙ୍ଗ ଚାଲିଛି । କମାର ସେବକମାନେ ଭୂଇଁ କଇଁଚି କଣ୍ଟା ଓ ଦୁଆରଘଡ଼ା କଣ୍ଟା ତିଆରୁଛନ୍ତି ।