ଗାଡ଼ି ଚାଳକଙ୍କୁ ଜୋରିମାନା, କଳା ଧୂଆଁ ଛାଡୁଥିବା କାରଖାନାକୁ ସଲାମ?

ଚୌଦ୍ଵାର ୨୨|୬ (ଶିବବ୍ରତ ଦାସ ): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ୩ ନମ୍ବର ୱାର୍ଡ ଗାଣ୍ଡିଆବନ୍ଧ ଅଞ୍ଚଳରେ ଗଢ଼ିଉଠିଥିବା ଏକ ରହସ୍ୟମୟ ଶିଳ୍ପ ସଂସ୍ଥା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବଡ଼ କାରଣ ପାଲଟିଛି। କାରଖାନାର ଚିମିନିରୁ ପ୍ରତିଦିନ ବାହାରୁଥିବା ଘନ କଳା ଧୂଆଁ ଯେପରି ଆକାଶକୁ ଗିଳି ନେଉଛି। ଦିନବେଳେ ଅଞ୍ଚଳକୁ ରାତିର ଭ୍ରମ ସୃଷ୍ଟି କରୁଥିବା ଏହି ଧୂଆଁ କେବଳ ପରିବେଶ ନୁହେଁ, ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରୁଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି କମ୍ପାନୀ କାହାର? କେଉଁ ଉତ୍ପାଦନ କାର୍ଯ୍ୟ ଏଠାରେ ଚାଲିଛି? କେଉଁ ଅନୁମତିରେ ଏଭଳି ଅବାଧ ପ୍ରଦୂଷଣ ଚାଲିଛି? ଏହାର ଉତ୍ତର ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ପାଖରେ ନାହିଁ। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଲୋକମାନେ ଧୂଆଁ ଓ ଧୂଳି ଭିତରେ ଜୀବନ ବିତାଉଥିବା ବେଳେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ଅସ୍ତିତ୍ୱ ମଧ୍ୟ ବିପଦରେ ପଡ଼ିଥିବା ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର କଥା, ରାଜରାସ୍ତାରେ ଗାଡ଼ିର ଧୂଆଁ ଯାଞ୍ଚ ନାଁରେ ସାଧାରଣ ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଏପରି ଭାବରେ ଆକାଶକୁ କଳା କରୁଥିବା ଶିଳ୍ପ ସଂସ୍ଥା ପ୍ରତି ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ନା କି ଏଠାରେ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ, ଆଉ ପ୍ରଭାବଶାଳୀଙ୍କ ପାଇଁ ସବୁକିଛି ଛାଡ଼? ଏବେ ଅଞ୍ଚଳବାସୀଙ୍କ ପ୍ରଶ୍ନ ଏହି କଳା ଧୂଆଁର କଳା କାରନାମା ଉପରେ ପ୍ରଶାସନର ନଜର କେବେ ପଡ଼ିବ? ନା ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶର ମୂଲ୍ୟରେ ଏଭଳି ଚାଲିଥିବ ଶିଳ୍ପର ମନମାନି?