ଯାଜପୁର ମେଡିକାଲ କଲେଜରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ଉଦଘାଟନ କଲେ ଜିଲ୍ଲାପାଳ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଯାଜପୁର ଜିଲ୍ଲାର ରେ ସ୍ୱସ୍ଥ ସେବା ଉନ୍ନତି ଆଣିବା ପାଇଁ ଯଯାତି ମେଡି କାଲ କଲେଜ କୁ ଅତ୍ୟାଧୁନିକ ଯନ୍ତ୍ର ପାତି ଯୋଗାଇ ଦିଆ ଯାଉଛି l ଜିଲ୍ଲାର ସାଧାରଣ ଜନତା ପାଇଁ ସ୍ୱାସ୍ଥ୍ୟ ସେବା ଉପ ଲବ୍ଧ ହେବ l
— ଉପକୃତ ହେବେ ଯାଜପୁର ଜିଲ୍ଲା ଏବଂ ଆଖପାଖ ଅଞ୍ଚଳର ରୋଗୀ
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁର ଜିଲ୍ଲାକୁ ମିଳିଛି ନୂତନ ତଥା ଅତ୍ୟାଧୁନିକ ସୁବିଧା। ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଯାଜପୁରଠାରେ ଏକାଧିକ ନୂତନ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭାବେ ପ୍ରତିଷ୍ଠିତ ଇକୋ, ମାମୋଗ୍ରାଫି, ଶଲ୍ୟ ଚିକିତ୍ସା ବହିଃର୍ବିଭାଗ, ଏଣ୍ଡୋସ୍କୋପି ଏବଂ ସମସ୍ତ ସୁବିଧା ସମ୍ପନ୍ନ ଅର୍ଥୋପେଡିକ୍ ଅସ୍ତ୍ରୋପଚାର ଗୃହର ଉଦଘାଟନ କରିଛନ୍ତି। ମାମୋଗ୍ରାଫି ୟୁନିଟରେ ପ୍ରସିଦ୍ଧ “ଫୁଜିଫିଲ୍ମ” ବ୍ରାଣ୍ଡର ଅତ୍ୟାଧୁନିକ ମେସିନ ସ୍ଥାପନ କରାଯାଇଛି, ଯାହା ମହିଳାମାନଙ୍କ ସ୍ତନ କର୍କଟର ପ୍ରାଥମିକ ଚିହ୍ନଟ ଓ ନିଦାନରେ ସହାୟକ ହେବ। ଇକୋକାର୍ଡିଓଗ୍ରାଫି ୟୁନିଟରେ ହୃଦରୋଗର ସଠିକ୍ ପରୀକ୍ଷା ପାଇଁ “ଜିଇ ହେଲଥକେୟାର” ବ୍ରାଣ୍ଡର ଇକୋ ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ପେଟ ଓ ଗ୍ୟାଷ୍ଟ୍ରିକ ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା ତଥା ପରୀକ୍ଷା ପାଇଁ ଫୁଜିଫିଲ୍ମ ବ୍ରାଣ୍ଡର ଏଣ୍ଡୋସ୍କୋପି ୟୁନିଟ୍ ଆରମ୍ଭ କରାଯାଇଛି। ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ସର୍ଜରୀ ବହିଃ ବିଭାଗ କାର୍ଯ୍ୟକ୍ଷମ ହୋଇଛି। ଏହାସହ ହାଡ଼ ଓ ଗଣ୍ଠି ଜନିତ ଜଟିଳ ଅସ୍ତ୍ରୋପଚାର ପାଇଁ ଏକ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ଅପରେସନ ଥିଏଟର ଉଦଘାଟନ କରାଯାଇଛି।

ଏହି ସମସ୍ତ ସୁବିଧା ଉପଲବ୍ଧ ହେବା ଦ୍ୱାରା ଯାଜପୁର ଏବଂ ଏହାର ଆଖପାଖ ଅଞ୍ଚଳର ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ। ଜଟିଳ ଅସ୍ତ୍ରୋପଚାର ଏବଂ ହୃଦରୋଗ ସମ୍ପର୍କିତ ପରୀକ୍ଷା ପାଇଁ ଏଣିକି ରୋଗୀଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ। ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଏହି ସେବାଗୁଡ଼ିକର ଶୁଭାରମ୍ଭ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି। ଏହା ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତ ରୋଗ ନିଦାନ ଓ ଚିକିତ୍ସା ପ୍ରଦାନ କରିବାରେ ବେଶ ସହାୟକ ହେବ। ଉଦଘାଟନ ପରେ ଜିଲ୍ଲାପାଳ ଶ୍ରୀ କର ନୂତନ ଭାବେ ସ୍ଥାପିତ ଏହି ସମସ୍ତ ଚିକିତ୍ସା ୟୁନିଟଗୁଡ଼ିକ ନିରୀକ୍ଷଣ କରିଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଏବଂ ମେଡିକାଲ ଟିମର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ଏହାସହ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଭାବେ ଖୋଲା ରହିବା, ସୂଚାରୁ ରୂପେ ପରିଚାଳିତ ହେବା ଏବଂ ରୋଗୀମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଓ ଚିକିତ୍ସକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉଦଘାଟନୀ ସମାରୋହରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ବିଜୟ କୁମାର ମିଶ୍ର, ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ଡ. ଜାମି ସାଗର ପୃଷ୍ଟି, ପ୍ରଫେସର ଡ. ମନୋରମା ସ୍ୱାଇଁ, ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଶୈଳସେବା ମୁଦୁଲି, ଅର୍ଥୋପେଡିକ ବିଭାଗ ପ୍ରଫେସର ଡ. ଅତନୁ ମହାନ୍ତି, ସର୍ଜରୀ ବିଭାଗ ପ୍ରଫେସର ଡ. ବିପିନ କୁମାର ବର, ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ମେଡିକାଲ କଲେଜର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସମସ୍ତ ଅତ୍ୟାଧୁନିକ ବିଭାଗ ଓ ସେବାଗୁଡ଼ିକ କାର୍ଯ୍ୟକ୍ଷମ ହେବା ଫଳରେ ରୋଗୀମାନଙ୍କର ଜଟିଳ ରୋଗ ନିର୍ଣ୍ଣୟ ପ୍ରକ୍ରିୟା ଅଧିକ ସହଜ, ଶୀଘ୍ର ଓ ସଠିକ୍ ହୋଇପାରିବ। ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଜିଲ୍ଲାର ଚିକିତ୍ସା ବ୍ୟବସ୍ଥାକୁ ଏକ ନୂଆ ଶିଖରକୁ ନେବା ସହ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ମଜଭୂତ କରିବ।