
ଭଞ୍ଜନଗର ୨୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ବାତୀ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଓ ଏନ୍ସିସି ପକ୍ଷରୁ ମିଳିତ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଗ୍ରୀଷ୍ମ ଋତୁରେ ରକ୍ତଦାତା ଅଭାବ ପଡୁଛି। ତେଣୁ ରୋଗୀମାନେ ରକ୍ତ ପ୍ୟାକେଟ ଟିଏ ସଂଗ୍ରହ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ସମୟରେ ଉକ୍ତ ଦୁଇ ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିବା ଯୋଗୁ ବିଧାୟକ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଥିଲେ। ନବାଗତ ରକ୍ତଦାତା ତଥା କଲେଜ ଛାତ୍ରୀଛାତ୍ର, ଉତ୍ତର ଘୁମୁସର ବନଖଣ୍ଡ ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଯାହାକି ଗର୍ବର ବିଷୟ। ରକ୍ତର ଆଶ୍ୟକତା ବଢୁଥିବା ଯୋଗୁ ନୂଆ ରକ୍ତଦାତା ସୃଷ୍ଟି କରିବାର ମଧ୍ୟ ଆଶ୍ୟକତା ରହିଛି। ଏନେଇ ଅଧିକରୁ ଅଧିକ ସଚେତନ କାର୍ଯ୍ୟକ୍ରମ କରିବା ପାଇଁ ବିଧାୟକ ନାୟକ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, କଲେଜ ଅଧ୍ୟକ୍ଷ ଡ ଗଗନ ବିହାରୀ ପୁରୋହିତ, ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ସୁତନୁ କୁମାର ସତପଥୀ,
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ପ୍ରଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପକ ରଜତ କୁମାର ମିଶ୍ର, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ସାମାଜିକ କର୍ମୀ ଶୁଳପାଣି ଶତପଥୀ, ସ୍ବାତୀ ସମ୍ପାଦକ ଇଂ ହରିଶଙ୍କର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ଏନ୍ସିସି ଆର୍ମି ଓ୍ବିଙ୍ଗ ସିଟି ଓ ଅର୍ପଣ ପ୍ରଧାନ, ନାଭାଲ ସି୍ଟି ଓ ବିଭୂତି ଗୌଡ଼, ସ୍ବାତୀ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ଭଞ୍ଜନଗର ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ୩୦ ପ୍ୟାକେଟ୍ ରକ୍ତ ସଂଗୃହୀତ କରିଥିଲେ।ସମସ୍ତ ରକ୍ତ ଦାତାଙ୍କୁ ଏବଂ ଅତିଥିଙ୍କୁ ବେଲ, କଇଠ ଇତ୍ୟାଦି ଚାରା ବନ ବିଭାଗ ସହଯୋଗରେ ବଣ୍ଟନ କରାଯାଇଥିଲା ।