
ଭଞ୍ଜନଗର, ୨୮/୦୬:(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଆନୁକୂଲ୍ୟରେ ରବିବାର ଭଞ୍ଜ କଲେଜ ଅଫ୍ ନର୍ସିଂ, ଭଞ୍ଜନଗର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋକ୍ସୋ ଆଇନ (ପୋକ୍ସ ଧାରା ), କିଶୋର ନ୍ୟାୟ ଆଇନ (ଯେ ଯେ ଧାରା ), ପୀଡ଼ିତ କ୍ଷତିପୂରଣ ଯୋଜନା ଏବଂ ଭାରତୀୟ ସମ୍ବିଧାନରେ ବର୍ଣ୍ଣିତ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସେ ଭାରତୀୟ ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତ୍ତବ୍ୟ, ସାମାଜିକ ଦାୟିତ୍ୱ ଏବଂ ଆଇନ ପ୍ରତି ସମ୍ମାନବୋଧ ଉପରେ ଆଲୋଚନା କରିଥିଲେ
ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଭିୟେନା ନାୟକ ପୋକ୍ସୋ ଆଇନ, ଶିଶୁ ସୁରକ୍ଷା, ଯୌନ ନିର୍ଯାତନା ମାମଲାରେ ଆଇନଗତ ବ୍ୟବସ୍ଥା ଏବଂ ପୀଡ଼ିତଙ୍କ ପାଇଁ ଉପଲବ୍ଧ କ୍ଷତିପୂରଣ ଯୋଜନା ବିଷୟରେ ସରଳ ଭାଷାରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ତାଲୁକ ଆଇନ ସେବା କମିଟିର ସଦସ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଆଇନ ସଚେତନତାର ଗୁରୁତ୍ୱ, ନିଶୁଳ୍କ ଆଇନ ସହାୟତାର ସୁବିଧା ଏବଂ ନାଗରିକମାନେ କିପରି ଆଇନର ସୁରକ୍ଷା ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।। ସେହିପରି ତାଲୁକ ଆଇନ ସେବା କମିଟିର ସଦସ୍ୟା ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ ନିଶୁଳ୍କ ଆଇନ ସହାୟତା, ମହିଳାଙ୍କ ଆଇନଗତ ଅଧିକାର ଏବଂ ସଚେତନତାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ଭଞ୍ଜ କଲେଜ ଅଫ୍ ନର୍ସିଂର ଅଧ୍ୟାପକ ଆଦିତ୍ୟ ପ୍ରସାଦ କର, ଏକାଗ୍ର ସାହୁ ଓ ଶ୍ରୁତିମୟୀ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ। ବହୁ ସଂଖ୍ୟକ ନର୍ସିଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତାମାନଙ୍କଠାରୁ ଆଇନ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଗ୍ରହଣ କରିଥିଲେ ଏବଂ ପ୍ରଶ୍ନୋତ୍ତର ପର୍ବରେ ସକ୍ରିୟ ଭାଗ ନେଇଥିଲେ।
ଶେଷରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଉପସ୍ଥିତ ସମସ୍ତଙ୍କୁ ନିଶୁଳ୍କ ଆଇନ ସହାୟତା ସେବାର ସଦୁପଯୋଗ କରିବା ସହ ସମାଜରେ ଆଇନ ସଚେତନତା ବିସ୍ତାର କରିବାକୁ ଆହ୍ୱାନ ଜଣାଯାଇଥିଲା। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସମ୍ପର୍କିତ ଜ୍ଞାନ ବୃଦ୍ଧି କରିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲା।