
ଚୌଦ୍ୱାର (ଶିବବ୍ରତ ଦାସ )
ମହିଳାଙ୍କୁ କଟୁରୀରେ ଆକ୍ରମଣ ଘଟଣାରେ ଜଣେ ଯୁବକକୁ ଜଗତପୁର ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ଜଣଙ୍କ ହେଲେ ଜଗତପୁର ଥାନା ଅଧୀନ ପଶ୍ଚିମକଚ୍ଛ ଡିହସାହିର ସମ୍ବିତ ଜେନା (୨୨) ଓରଫ ଚିକୁନା।ପୋଲିସ ପକ୍ଷରୁ ତାଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇବାକୁ ଅଦାଲତରେ ଆବେଦନ କରାଯାଇଥିଲା। ଏ ନେଇ ସେହି ଗ୍ରାମର ସୁଲୋଚନା ବେହୁରାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ୩୮୦/୨୬)ରୁଜୁ କରି ତଦନ୍ତ ଜାରି ରଖିଥିଲା।
ପୋଲିସ ସୂଚନା ଅନୁଯାୟୀ, ଗତ ୧୨ ଜୁନରେ ଜଣେ ୧୨ ବର୍ଷର ବାଳକଙ୍କୁ ଗାଳିଗୁଲଜ କରିବା ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହାପରେ ଅଭିଯୋଗକାରୀ ସୁଲୋଚନା ଓ ତାଙ୍କ ମା’ ସମ୍ବିତଙ୍କୁ ପଚରାଉଚରା କରିବାକୁ ଯାଇଥିବାବେଳେ ବିବାଦ ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁସାରେ ସମ୍ବିତ ପ୍ରଥମେ ମହିଳାଙ୍କୁ ମାଡ଼ ମାରିଥିଲେ ଏବଂ ପରେ ଘରୁ କଟୁରୀ ଆଣି ଆକ୍ରମଣ କରିଥିଲେ। ଆକ୍ରମଣରୁ ବଞ୍ଚିବାକୁ ହାତ ଉଠାଇବାରୁ ତାଙ୍କ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ପ୍ରାୟ ୧୫ ଦିନ ଧରି ଖୋଜାଖୋଜି ପରେ ପୋଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଥିଲା।ତଦନ୍ତ ବେଳେ ଦୁଇ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଥିବା ଏବଂ ଏହି ଘଟଣାକୁ ନେଇ ଅଭିଯୋଗକାରୀଙ୍କ ପକ୍ଷ ବିରୋଧରେ ମଧ୍ୟ ପାଲଟା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।