
ଭଞ୍ଜନଗର ୦୫/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସାଂପ୍ରତିକ ବ୍ୟସ୍ତବହୁଳ ଜୀବନ ଶୈଳୀର ଅଧୋପତନର ମୁଖ୍ୟ କାରଣ ହେଲା- ଦୁଶ୍ଚିନ୍ତା। ଏହି ପରିପ୍ରେକ୍ଷୀରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ଟାଉନ୍ ହଲ୍ ଠାରେ ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ ତ୍ରିଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ତଥା ଚିନ୍ତା ମୁକ୍ତ ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଜୋନରେ ଆୟୋଜିତ ହେବାକୁ ଥିବା ୩୫ଟି ପ୍ରେରଣାଦାୟକ ଶିବିରର ମୁଖ୍ୟ ଆକର୍ଷଣ ଆନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟଆବୁରୁ ଆମନ୍ତ୍ରିତ ମେମୋରୀ ପ୍ରଶିକ୍ଷକ ରାଜଯୋଗୀ ଡଃ ଶକ୍ତିରାଜ ଭାଇ ମୁଖ୍ୟ ବ୍ଯକ୍ତା ଓ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ଉମାକାନ୍ତ ବେହେରାଙ୍କ କରକମଳରେ ଶିବିରକୁ ଉଦଘାଟନ କରାଯାଇଥିଲା।
ମୁଖ୍ୟ ବକ୍ତା ଡଃ ଶକ୍ତିରାଜ ଭାଇ ବହୁ ମୂଲ୍ୟବାନ ଅନୁଭୂତି ସଂପନ୍ନ ପ୍ରୟୋଗାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ। ଅଧୁନା ମାନବ ସମାଜ ଆଧୁନିକତା ସହିତ ଆଧ୍ୟାତ୍ମିକତାବାଦୀ ଓ ଆତ୍ମ କୈନ୍ଦ୍ରିକ ହେବା ଉଚିତ୍। ଯଦ୍ୱାରା ସକାରାତ୍ମକ ଚିନ୍ତନ ଶକ୍ତି ସୃଷ୍ଟି ହୋଇ ନିଶାମୁକ୍ତ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନରେ ସହାୟକ ହେବ।
ପରମାତ୍ମା ପ୍ରଦତ୍ତ ଏହି ଆତ୍ମ ଜ୍ଞାନ ବିଶ୍ବର ୧୪୫ରୁ ଉର୍ଦ୍ଧ୍ବ ଦେଶର ବିଭିନ୍ନ ସେବାକେନ୍ଦ୍ରରେ ନିୟମିତ ଶିକ୍ଷା ଦିଆଯାଉଛି। କୋଟି କୋଟି ଆଧ୍ୟାତ୍ମିକ ପ୍ରେମୀକୁ ସତ୍ ମାର୍ଗରେ ଅଭିପ୍ରେରିତ କରିବାରେ ବିଶ୍ଵ ଦରବାରରେ ଏହି ସଂସ୍ଥା ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି । ରାଜଯୋଗିନୀ ବ୍ରହ୍ମକୁମାରୀ ଲକ୍ଷ୍ମୀ ଭଉଣୀ ଓ ନିରୁପ୍ରଭା ଭଉଣୀ ମଞ୍ଚ ପରିଚାଳନା କରିଥିଲେ। କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଭଞ୍ଜନଗର ସେବାକେନ୍ଦ୍ରର କାର୍ଯ୍ୟଧାରା ବିବରଣୀର ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ବ୍ରହ୍ମା କୁମାର ଅକ୍ଷୟ, ବୈକୁଣ୍ଠ ଭାଇ ଧନ୍ୟବାଦ ଜ୍ଞାପନ କରିଥିଲେ।
ଅତିରିକ୍ତ ଉପଜିଲ୍ଲାପାଳ ରଞ୍ଚିତା ମହାପାତ୍ର , ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ, ଡେପୁଟି କମାଣ୍ଡର ଲଳିତ କୁମାର ଦାଶ, ସମାଜସେବୀ ଶୂଳପାଣି ଶତପଥୀ, ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ଅବସରପ୍ରାପ୍ତ ସେନା କର୍ମଚାରୀ ତ୍ରିନାଥ ଗୌଡ଼,ନେତାଜୀ ବିଷୋୟୀ, ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ଜଗଦୀଶ ପାଣିଗ୍ରାହୀ ସାର୍ ଙ୍କ ସମେତ ବହୁ ସାମ୍ବାଦିକ ଭାଇ ଉପସ୍ଥିତ ଥିଲେ। ରାଜ ଯୋଗର ଏହି ପ୍ରୟୋଗାତ୍ମକ ଶିକ୍ଷାକୁ ନିଜ ଦୈନନ୍ଦିନ ଜୀବନ ଶୈଳୀରେ ଆପଣାଇ ନେବାକୁ ଶ୍ରେୟ ମନେକରି ପ୍ରତିଜ୍ଞାବଦ୍ଧ ହୋଇଥିଲେ। ବ୍ରହ୍ମା କୁମାରୀ ଅନିତା,ଅଲିଭା, ପ୍ରାପ୍ତି,ପିଙ୍କି,ବୈଶାଳୀ, ଅଙ୍କିତା,ଗୁଗୁଲ ଭଉଣୀ ସହିତ ଅନୁଷ୍ଠାନର ସମସ୍ତ ସେବାଧାରୀ ଭାଇଭଉଣୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶୃଙ୍ଖଳିତ ଭାବରେ ସଂପାଦନ ହୋଇଥିଲା ।