
ଭଞ୍ଜନଗର ୦୫/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ତାରାସିଙ୍ଗି ଥାନା ଗାଲେରୀ କାଳୀମନ୍ଦିରରୁ ହୋଇଛି ବଡ଼ ଧରଣର ଚୋରି।ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାଳୀମନ୍ଦିରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ମା’ କାଳୀଙ୍କ ମୁକୁଟ ସମେତ ବିଭିନ୍ନ ଅଳଙ୍କାର ସହିତ ଆଲମିରା ତାଲା ଚାବି ଭାଙ୍ଗି ପ୍ରାୟ ଦୁଇ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିବା ଜଣାପଡ଼ିଛି। ଆଜି ସକାଳେ ପୂଜକ ମନ୍ଦିରକୁ ଆସି ତାଲା ଭଙ୍ଗା ଦେଖିବା ପରେ ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ। ପରେ ତାରାସିଙ୍ଗି ପୋଲିସକୁ ସୂଚନା ଦିଆଯାଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ଚୋରମାନେ ଚତୁରତାର ସହିତ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି।ଫଳରେ ଚୋରି କେମିତି ହୋଇଛି ତାହା ଜଣାପଡିନାହିଁ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଚୋରି ଅଳଙ୍କାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ଅନୁମାନ କରାଯାଇଛି ।