
ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଚୌଦ୍ଵାର ବ୍ଲକ ନଖରା ପଞ୍ଚାୟତ ଚାଞ୍ଚୋ ଗ୍ରାମର ଶ୍ରୀ ଶ୍ରୀ ମେଘେଶ୍ଵର ଉଚ୍ଚ ବିଦ୍ୟାଳୟରୁ ଦୁଇଜଣ ଶିକ୍ଷକ ଅବସର ନେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସୁନ୍ଦରା ଓ କ୍ରୀଡ଼ା ଶିକ୍ଷକ ପ୍ରମୋଦ ଚନ୍ଦ୍ର ତରାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ ଗଣେଶ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତ୍ରିଦେବ ବେହେରା ଓ ଗଣେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଖରା ପଞ୍ଚାୟତ ସରପଞ୍ଚ ମଧୁଛନ୍ଦା ଉପାଧ୍ୟାୟ , ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ ଓ ପୂର୍ବରୁ ଅବସର ନେଇଥିବା ବହୁ ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟ ଆରମ୍ଭରୁ ତିନି ଦଶନ୍ଧି ଧରି ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରି ପିଲାମାନଙ୍କ ଶିକ୍ଷାର ବିକାଶ ସହିତ ବିଦ୍ୟାଳୟର ଉନ୍ନତିରେ ନିଜକୁ ସମର୍ପି ଦେଇଥିଲେ। ସରାକରଙ୍କ ବ୍ୟବସ୍ଥା ଅନୁଯାୟୀ ସେମାନେ ଚାକିରିରୁ ଅବସର ନେଇଛନ୍ତି। ମାତ୍ର ସେମାନଙ୍କର ଛାତ୍ରବତ୍ସଳ ଭାବ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଏକାଠି କରିଥିବା ଦେଖିବାକୁ ମିଳିଥିଲା। ଶିକ୍ଷକ ଦୁଇଜଣଙ୍କୁ ବାଣ,ବାଜା ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଖୋଲା ଜିପ୍ ରେ ଗ୍ରାମ ପରିକ୍ରମା କରି ସେମାନଙ୍କ ଘରେ ଛାଡିଥିଲେ। କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦ,ସ୍କୁଲ କମିଟି ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।