
ଚୌଦ୍ୱାର (ଶିବବ୍ରତ ଦାସ ): ଚୌଦ୍ୱାର ପୌରାଞ୍ଚଳ ରାଜନୀତିରେ ଏବେ ଏକ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ପ୍ରକାଶ ପାଇଛି। ପୌରପାଳିକାର ପୌର ଅଧିବେଶନକୁ ନଯିବା ପାଇଁ ବିଧାୟକଙ୍କ ପକ୍ଷରୁ ଏକ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ସ୍ୱାର୍ଥପର ବରିଷ୍ଠ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ମନ୍ଦିର ପରି ଏକ ପବିତ୍ର ସ୍ଥାନରେ ଏହି ଗୁପ୍ତ ମନ୍ତ୍ରଣା କରାଯାଇଥିବା ସୂଚନା ମିଳିଛି। ଯଦି ଏହି ଖବର ସତ୍ୟ ହୋଇଥାଏ, ତେବେ ଏହା ଚୌଦ୍ୱାର ଗଣତନ୍ତ୍ର ଓ ବିକାଶ ପାଇଁ ଅତ୍ୟନ୍ତ ସାଙ୍ଘାତିକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ପୌର ଅଧିବେଶନ ହେଉଛି ସହରର ବିଭିନ୍ନ ୱାର୍ଡର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ମୁଖ୍ୟ ମାଧ୍ୟମ। ଜନପ୍ରତିନିଧିମାନେ ଏଥିରେ ସାମିଲ ନହେଲେ ଲୋକଙ୍କ ସମସ୍ୟା ଅଣଦେଖା ହୋଇ ରହିଯିବ। କେବଳ ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସହରର ବିକାଶକୁ ବାଜି ଲଗାଇବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ରାଜନୈତିକ ଚାପରେ ପଡ଼ି ଯଦି କାଉନସିଲରମାନେ ଅଧିବେଶନ ବର୍ଜନ କରନ୍ତି, ତେବେ ତାହାର ସିଧାସଳଖ ପ୍ରଭାବ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପଡ଼ିବ। ନିଜର ମୌଳିକ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସଂପୃକ୍ତ ୱାର୍ଡବାସୀ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି। ପବିତ୍ର ଦେବସ୍ଥଳୀକୁ ରାଜନୀତିର ଆଖଡ଼ାଶାଳା କରିବା ଏବଂ ଜନସ୍ୱାର୍ଥକୁ ବଳିଦେବା ଭଳି ହୀନ ପ୍ରୟାସକୁ ଚୌଦ୍ୱାର ଜନସାଧାରଣ ସହଜରେ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ସଂପୃକ୍ତ ନେତା କିମ୍ବା ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।