
ଭଞ୍ଜନଗର ୦୫/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର , ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା ‘ଚ଼ିଠା ଭୋଟର ତାଲିକା’ ପ୍ରକାଶିତ l
ଉପଖଣ୍ଡରେ ସମୁଦାୟ ୩୬,୩୪୨ ଜଣଙ୍କ ନାମ ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ, ଅନ୍ୟତ୍ର ନାମ ପଞ୍ଜୀକରଣ, ଅନୁପସ୍ଥିତି ଏବଂ ଅନ୍ୟାନ୍ୟ କାରଣରୁ ଚିଠା ଭୋଟର ତାଲିକାରୁ ବାଦ ଦିଆଯାଇଛି। ଯାହା :ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୩,୭୩୮, ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୨,୨୯୩ ଏବଂ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୦,୩୧୧ ଜଣଙ୍କ ନାମ ଚିଠା ଭୋଟର ତାଲିକାରୁ ବାଦ ଦିଆଯାଇଛି।
ଭଞ୍ଜନଗର, ତା. ୦୫.୦୭.୨୦୨୬: ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ଆଜି ଭଞ୍ଜନଗର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
ସଭା ପ୍ରାରମ୍ଭରେ ଇ.ଆର୍.ଓ
ତଥା ଉପଜିଲ୍ଲାପାଳ
ଉମାଶଙ୍କର ବେହେରା ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଥିଲେ ଯେ, ପରିଗଣନା ଫର୍ମ ସଂଗ୍ରହ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ସେଗୁଡ଼ିକର ଡିଜିଟାଇଜେସନ ସମ୍ପନ୍ନ ଓ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ରୁ ସମସ୍ତ ମତଦାତାଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ ଜୁଲାଇ ୫ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାକୁ ଅନୁରୋଧ କରିଥିଲେ।
୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ନାଗରିକମାନେ ଫର୍ମ–୬ ପୂରଣ କରି ବି.ଏଲ୍.ଓ.ଙ୍କ ନିକଟରେ ଦାଖଲ କରିପାରିବେ ବୋଲି ସେ ସୂଚନା ଦେଇଥିଲେ।
ଉପଜିଲ୍ଲାପାଳ କହିଥିଲେ ଯେ, ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ମୃତ, ଅଯୋଗ୍ୟ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କ ନାମ ବିଲୋପ କରି ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ହିଁ ଏସ୍.ଆଇ.ଆର୍.ର ମୂଳ ଲକ୍ଷ୍ୟ। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ଯେପରି ବାଦ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସାମିଲ ନ ହୁଏ, ସେଥିପ୍ରତି ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି।
ସୂଚନା ଦିଆଯାଇଥିଲା ଯେ, ଗତ ମେ’ ୩୦ ତାରିଖରୁ ଆରମ୍ଭ ହୋଇଥିବା ପରିଗଣନା ଫର୍ମ ପୂରଣ କାର୍ଯ୍ୟ ଜୁନ୍ ୨୮ ତାରିଖରେ ସଫଳତାର ସହ ସମାପ୍ତ ହୋଇଛି। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଶେଷ କରାଯିବ ଏବଂ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଏହି ଅବସରରେ ଇ.ଆର୍.ଓ ଆସ୍କା ତଥା ଅତିରିକ୍ତ ଉପଜିଲ୍ଲାପାଳ ଭଞ୍ଜନଗର ଶ୍ରୀମତୀ ପ୍ରଧାନ
ଟୁଲିଆମା ଓ ଇ.ଆର୍.ଓ ସୋରଡ଼ା ଶ୍ରୀ ବସନ୍ତ କୁମାର ବେହେରା ବୈଠକରେ ଉପସ୍ଥିତ ଥିଲେ ।
ରାଜନୈତିକ ପ୍ରତିନିଧିଙ୍କ ଦ୍ୱାରା ଉତ୍ଥାପିତ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ସନ୍ଦେହ ଦୂର କରିବା ସହ ଅଭିଯୋଗଗୁଡିକର ତତ୍କାଳ ସମାଧାନ ନିମନ୍ତେ ତାଙ୍କର ବ୍ୟକ୍ତିଗତ ପ୍ରୟାସ ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ଆଶ୍ୱାସନା ସହ ଉପଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।