ଜୁଲାଇ ୭ ରୁ ଭଞ୍ଜନଗର ବିଜୁ ପଟ୍ଟନାୟକ ୱାଟର ପାର୍କ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ

ଭଞ୍ଜନଗର, ୦୫/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା ଫଳରେ କ୍ଷତି ମଧ୍ୟ ବୃଦ୍ଧି ପାଉଥିବାରୁ ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ଏକମାତ୍ର ସରକାରୀ ୱାଟର ପାର୍କକୁ ଆସନ୍ତା ଜୁଲାଇ ୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବର୍ଷା ଋତୁ ଶେଷ ହେବା ପରେ ଏବଂ ପାଣିପାଗ ଅନୁକୂଳ ହେଲେ ପୁନର୍ବାର ୱାଟର ପାର୍କ ଖୋଲାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ, ଗତ କିଛିଦିନ ଧରି ଭଞ୍ଜନଗର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ମଧ୍ୟରେ ଗତ ୨୪ ଘଣ୍ଟାରେ ଭଞ୍ଜନଗରରେ ୧୮୦ ମିଲିମିଟର ଏବଂ ଡହରେ ୧୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ଭଞ୍ଜନଗର, ସୋରଡ଼ା, ଡହ ଏବଂ ବାଘୁଆ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ।

ସମ୍ଭାବ୍ୟ ବନ୍ୟା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନରେ ବାଲି ବସ୍ତା ମହଜୁଦ ରଖାଯାଇଥିବା ବେଳେ ଭଞ୍ଜନଗର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ଏବଂ ଅନ୍ୟାନ୍ୟ ଯନ୍ତ୍ରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି।

ରବିବାର ସକାଳ ୬ଟା ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୮୬ ପ୍ରତିଶତ, ସୋରଡ଼ାରେ ୭୯ ପ୍ରତିଶତ, ଡହରେ ୫୬ ପ୍ରତିଶତ ଏବଂ ବାଘୁଆ ଜଳଭଣ୍ଡାରରେ ୬୪ ପ୍ରତିଶତ ପାଣି ମହଜୁଦ ରହିଛି।

ଚଳିତ ମୌସୁମୀ ଋତୁରେ ଭଞ୍ଜନଗରରେ ୩୮୨ ମିଲିମିଟର, ସୋରିଷମୂଳିରେ ୨୦୦ ମିଲିମିଟର, ମାଧବରିଡ଼ାରେ ୨୩୧ ମିଲିମିଟର, ସୋରଡ଼ାରେ ୨୮୪ ମିଲିମିଟର, ଆସିକାରେ ୨୭୩ ମିଲିମିଟର, ବାଘୁଆରେ ୧୮୮ ମିଲିମିଟର ଏବଂ ଡହରେ ୨୮୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଉଥିବା ସୂଚନା ମିଳିଛି।