
ବେଲଗୁଣ୍ଠା ୦୭/୦୭ (ବିନାୟକ ଗୌଡ଼): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତର ବରଗାଁ ମୁଖ୍ୟ ସଡ଼କ ରାସ୍ତା କଡ଼ରେ ଥିବା ଧରଣୀଧର ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ କେଦାରନାଥ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଞ୍ଚଳର ବନପାଳ ଜିତେନ୍ଦ୍ର ମଲ୍ଲିକ,ଫରେଷ୍ଟ ଗାର୍ଡ ବାସୁଦେବ ସେଠୀ, ବିଧାୟକ ପ୍ରତିନିଧି ତଥା ପରିଚାଳନା କମିଟି ସଦସ୍ୟ ଶଙ୍କର ପ୍ରଧାନ ଓ ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଏଲ.ସତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଠାରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀମାନେ “ଗଛଟିଏ ମୁଁ ଗଛଟିଏ” ଗୀତ ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଛାତ୍ରୀ ମାନଙ୍କ ଦ୍ୱାରା ଗାନ କରାଯାଇ ଥିବା “ଗଛ ଲଗାଇବା ଯେ ମହତ କାର୍ଯ୍ୟ ଯେ ଆଉ ସବୁ କର ତୁଛ” ଗୀତଟି ମଧ୍ୟ ବେଶ ସଚେତନତା ଧର୍ମୀ ହୋଇ ସମସ୍ତଙ୍କ ମନ ମୋହିଥିଲା । ସାମ୍ପ୍ରତିକ ପରିବେଶରେ ବନୀକରଣ ଅବସମ୍ଭାବି ହୋଇ ପଡ଼ିଥିବା ବେଳେ ଜଙ୍ଗଲ ସୁରକ୍ଷା, ପରିବେଶ ପ୍ରତି ସଚେତନତା, ବନ୍ୟଜନ୍ତୁଙ୍କ ପ୍ରତି ଉଦାରତା ଭାବ ଓ ଭଲ ପାଇବା ଦ୍ୱାରା ପ୍ରାକୃତିକ ପରିବେଶ କିଛି ମାତ୍ରାରେ ସନ୍ତୁଳିତ ହୋଇ ପାରିବ ବୋଲି ଆଶା କରାଯାଇ ପାରେ ତେବେ ପ୍ରତ୍ୟେକେ ଆନ୍ତରିକତାର ସହ ଉଦ୍ଭିଦ ଜଗତର ସୁରକ୍ଷା ଦିଗରେ ଧ୍ୟାନ ଦେବା ସହ ନୂତନ ଚାରା ରୋପଣ ପରେ ଏହାର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରକୁ ସହକାରୀ ଶିକ୍ଷକ ବିଶ୍ୱନାଥ ପାଢ଼ୀ ସଂଯୋଜନା କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଶେଷରେ ଶିକ୍ଷୟତ୍ରୀ ଦମୟନ୍ତି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ପରିବେଶ ପ୍ରେମୀ ତଥା ବିଦ୍ୟାଳୟର ଅଫିସ ସହାୟକ ବିଦେଶୀ ସାହୁଙ୍କ ଦ୍ୱାରା ଆହୁତ ପରିବେଶ ସଚେତନତା ସମ୍ପର୍କିତ ବିଭିନ୍ନ ସ୍ଲୋଗାନକୁ ଛାତ୍ର ଛାତ୍ରୀମାନେ ଦୋହରାଇବା ସହ ଚାରା ରୋପଣ କରିଥିଲେ । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ବନବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅନୁପମା ମିଶ୍ର,ଦମୟନ୍ତି ମିଶ୍ର ,ସହକାରୀ ଶିକ୍ଷକ ରାଜ କୁମାର ମହାନ୍ତି,ମହେଶ୍ୱର ସ୍ୱାଇଁ, କ୍ରୀଡ଼ା ଶିକ୍ଷକ ଭଗବାନ ଗୌଡ଼ ,କର୍ମଚାରୀ ନାରାୟଣ ସାହୁ ,ଶଙ୍କର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ କେଦାରନାଥ ସାମଲ ପରିଚାଳନା କରିଥିଲେ ।