
ଚୌଦ୍ୱାର(ଶିବବ୍ରତ ଦାସ ) କର୍ତ୍ତବ୍ୟରତ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସଂଘାତିକ ମାମଲାରେ ଆଜି ରାଜ୍ୟ ମାନବାଧିକାର ପରିଷଦର ସଭାନେତ୍ରୀ ସସ୍ମିତା ଦାସଙ୍କ ପକ୍ଷରୁ ଚୌଦ୍ୱାର ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଘଟଣାରୁ ପ୍ରକାଶ ଯେ, କିଛି ଦିନ ତଳେ ଚୌଦ୍ୱାର ଅଞ୍ଚଳରେ ଜଣେ ଟ୍ରାଫିକ ପୋଲିସ କର୍ମଚାରୀ ନିଜର ଦାୟିତ୍ୱ ତୁଲାଉଥିବା ସମୟରେ କିଛି ଅସାମାଜିକ ଯୁବକ ମନ୍ତ୍ରୀଙ୍କ ଲୋକ କହି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଦିନ ଦ୍ୱିପ୍ରହରରେ ଜଣେ ସରକାରୀ କର୍ମଚାରୀଙ୍କୁ ଏଭଳି ଆକ୍ରମଣ କରାଯିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଘଟଣାକୁ ନିନ୍ଦା କରି ରାଜ୍ୟ ମାନବାଧିକାର ପରିଷଦର ଏକ ପ୍ରତିନିଧି ଦଳ ଚୌଦ୍ୱାର ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମାଜରେ ଶାନ୍ତି ଓ ସୁରକ୍ଷା ବଜାୟ ରଖୁଥିବା ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହା ମାନବାଧିକାର ଓ ଆଇନର ଉଲ୍ଲଂଘନ।ପରିଷଦ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ମୁଖ୍ୟତଃ ଦୁଇଟି ଦାବି ଉପରେ ଜୋର ଦିଆଯାଇଛି ଏହି ଆକ୍ରମଣ ପଛରେ ଥିବା ସମସ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯେପରି ଭବିଷ୍ୟତରେ କେହି ଏଭଳି ସାହସ କରିବେ ନାହିଁ।ଚୌଦ୍ୱାର ଥାନା ପୋଲିସ ଦାବିପତ୍ର ଗ୍ରହଣ କରିବା ସହ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ଏବଂ ଅତି ଶୀଘ୍ର ଦୋଷୀମାନଙ୍କୁ ଆଇନ କଟଘରକୁ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛି।ପ୍ରତିନିଧି ମଣ୍ଡଳୀରେ ସବିତା ଦାସ, ସଂଜିତ ମହାନ୍ତି ଓ ନାରାୟଣ ବିଶ୍ୱାଳ ଓ ସତ୍ୟବ୍ରତ ଦାସ ଉପସ୍ଥିତ ଥିଲେ ।