ନଖରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ତାଲା; ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟ ବିଭାଗ ସାଜିଛି ନିରବଦ୍ରଷ୍ଟା

ଚୌଦ୍ୱାର (ଶିବବ୍ରତ ଦାସ ): ସରକାରୀ ସ୍ୱାସ୍ଥ୍ୟ ଯୋଜନା ଏବେ ସାଧାରଣ ଜନତାଙ୍କ ପାଇଁ ପ୍ରହସନ ପାଲଟିଛି। ଟାଙ୍ଗୀ ଚୌଦ୍ୱାର ବ୍ଲକ ନଖରା ପଞ୍ଚାୟତ ଅନ୍ତର୍ଗତ ଗରୁଡ଼ଗାଁଠାରେ ଥିବା ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ (ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର) ନିର୍ମାଣ ସରିବା ଦିନଠୁ ଦୀର୍ଘଦିନ ହେବ ତାଲା ପଡ଼ି ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଗରିବ ଲୋକ ପ୍ରାଥମିକ ଚିକିତ୍ସା ସେବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି।ଗ୍ରାମାଞ୍ଚଳର ଲୋକଙ୍କୁ ତୃଣମୂଳ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। କେନ୍ଦ୍ରଟି ନିୟମିତ ବନ୍ଦ ରହୁଥିବାରୁ ସାଧାରଣ ଜ୍ୱର, କାସ କିମ୍ବା ରକ୍ତଚାପ ପରୀକ୍ଷା ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ବହୁ ଦୂରରେ ଥିବା ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଜରୁରୀକାଳୀନ ପରିସ୍ଥିତିରେ ଗରିବ ରୋଗୀମାନେ ବାଧ୍ୟ ହୋଇ ବେସରକାରୀ କ୍ଲିନିକକୁ ଯାଇ ଅର୍ଥ ଶ୍ରାଦ୍ଧ କରୁଛନ୍ତି।ଏହି ସମ୍ବେଦନଶୀଳ ସମସ୍ୟା ପ୍ରତି ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ଆଖି ବୁଜା ନୀତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ରରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ଅନୁପସ୍ଥିତି ଏବଂ ସେବା ବନ୍ଦ ରହିବା ସମ୍ପର୍କରେ ପ୍ରଶାସନ ସବୁ ଜାଣି ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ସରକାରୀ ଅର୍ଥରେ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି କେବଳ ଏକ ପରିତ୍ୟକ୍ତ ଗୃହ ପରି ପଡ଼ି ରହିଛି।ତୁରନ୍ତ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସଚଳ କରାଯାଇ ଜଣେ ସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିବାକୁ ନଖରା ପଞ୍ଚାୟତ ଓ ଗରୁଡ଼ଗାଁବାସୀ ଦୃଢ଼ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଅଞ୍ଚଳବାସୀ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।