ସ୍ୱାସ୍ଥ୍ୟ ଯାଞ୍ଚ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ: ଗଞ୍ଜାମ ଜଗନ୍ନାଥପ୍ରସାଦର ଅଭିଯୁକ୍ତ ଆୟୁଷ ଡାକ୍ତର ଗିରଫ

ଜଗନ୍ନାଥପ୍ରସାଦ ୧୩/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଡାକ୍ତରୀ ବୃତ୍ତିରେ କଳଙ୍କିତ ଅଧ୍ୟାୟ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ଚିକିତ୍ସା କରାଇବା ବାହାନାରେ ଜଣେ ନାବାଳିକାଙ୍କୁ ବେଆଇନ କ୍ଲିନିକ ରେ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଆୟୁଷ ଡାକ୍ତର ସମୀର ପ୍ରଧାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ମା’ ତାଙ୍କ ଝିଅର ଚିକିତ୍ସା ପାଇଁ ଜଗନ୍ନାଥପ୍ରସାଦ ସ୍ଥିତ ଏହି ବେସରକାରୀ କ୍ଲିନିକକୁ ରବିବାର ସନ୍ଧ୍ୟା ସମୟରେ ଆଣିଥିଲେ। କ୍ଲିନିକରେ ଉପସ୍ଥିତ ଥିବା ଆୟୁଷ ଡାକ୍ତର ସମୀର ପ୍ରଧାନ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଆଳରେ ନାବାଳିକାଙ୍କୁ ଏକ ବନ୍ଦ କୋଠରୀକୁ ନେଇଯାଇଥିଲେ। କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି କୋଠରୀ ବାହାରକୁ ଆସିଥିଲେ। ଝିଅକୁ କାନ୍ଦୁଥିବାର ଦେଖି ମା’ ପଚାରିବାରୁ, ସେଠାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ସେ ସମସ୍ତ ବିଷୟ ପ୍ରକାଶ କରିଥିଲେ। ଏହି ବର୍ବରକାଣ୍ଡ ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ତୁରନ୍ତ ଜଗନ୍ନାଥପ୍ରସାଦ ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା। ମାମଲାର ଗମ୍ଭୀରତା କୁ ଦୃଷ୍ଟିରେ ରଖି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଆୟୁଷ ଡାକ୍ତର ସମୀର ପ୍ରଧାନଙ୍କୁ ଗିରଫ କରିଛି। ଆଜି ପୋଲିସ ପକ୍ଷରୁ ନାବାଳିକା ଙ୍କର ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।