
ବେଲଗୁଣ୍ଠା/୧୩/୦୭ (ବିନାୟକ ଗୌଡ଼ ) ନିଜର ଏକନିଷ୍ଠ ଉଦ୍ୟମ, ଅଧ୍ୟବ୍ୟବସାୟ ଓ ପ୍ରଗାଢ଼ ପ୍ରତିଭା ବଳରେ ଦେଶର ପରମାଣୁ ଶକ୍ତି ବିଭାଗ, ଭାରତ ସରକାରଙ୍କ ଏକ ସ୍ବୟଂଶାସିତ ପ୍ରତିଷ୍ଠାନ ନାଇଜର ବା ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିବା ବେଲଗୁଣ୍ଠା ବଡ଼ଦାଣ୍ଡ ସାହିର ଏ.ରାମେଶ୍ୱର ପାତ୍ର ସ୍ନାତକୋତ୍ତର ଶ୍ରେଣୀର ଗଣିତ ବିଭାଗରେ ଶ୍ରେଷ୍ଟତ୍ଵ ପ୍ରଦର୍ଶନ କରି ଭାରତର ମହାମହିମ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରି ବେଲଗୁଣ୍ଠା ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିଛନ୍ତି ।ଏଥିସହ ଗୋପବନ୍ଧୁ ଦାଶଙ୍କ ନାତି ତଥା ବିଶିଷ୍ଠ ଗଣିତଜ୍ଞ, କବି,ଚିତ୍ରକର ଓ ଦାର୍ଶନିକ ପ୍ରଫେସର ତ୍ରିବିକ୍ରମ ପତିଙ୍କ ସ୍ମୃତିରେ ପ୍ରଦାନ କରା ଯାଉଥିବା ପ୍ରଫେସର ତ୍ରିବିକ୍ରମ ପତି ମେମୋରିଆଲ ଆୱାର୍ଡ଼ ମଧ୍ୟ ଚଳିତବର୍ଷ ସ୍ନାତକ ଶ୍ରେଣୀରେ ସ୍କୁଲ ଅଫ ମେଥମେଟିକ୍ସରୁ ସର୍ବୋତ୍ତମ ଶୈକ୍ଷିକ ପ୍ରଦର୍ଶନ ପାଇଁ ରାମେଶ୍ୱରଙ୍କୁ ମହାମହିମ ଉପରାଷ୍ଟ୍ରପତି ଶ୍ରୀରାଧାକୃଷ୍ଣନ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ନାଇଜର ପରିସରରେ ଅନୁଷ୍ଠିତ ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ଦେଶର ମାନ୍ୟ ଗଣ୍ୟ ବିଜ୍ଞାନୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।ଏହି ଉତ୍ସବରେ ମହାମହିମ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି,ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରମାଣୁ ଶକ୍ତି ବିଭାଗ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନାଇଜର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଅଧ୍ୟକ୍ଷ ପ୍ରଫେସର ଅଜିତ କୁମାର ମହାନ୍ତି, ନାଇଜରର ନିର୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତ ,ସରଳ ଓ ଆମାୟିକ ସ୍ବଭାବର ଛାତ୍ର ରାମେଶ୍ୱର ଭବିଷ୍ୟତରେ ଜଣେ ଭଲ ଗଣିତଜ୍ଞ ହୋଇ ଅଧ୍ୟାପନା କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ସମ୍ପ୍ରତି ସେ ବାଙ୍ଗାଲୋରର ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ , ବାଙ୍ଗାଲୋର)ରୁ ପିଏଚଡ଼ି କରିବା ପାଇଁ ମନସ୍ଥ କରି ଯୋଗ୍ୟ ମନୋନୀତ ହୋଇଛନ୍ତି । ପିଲାଟି ବେଳରୁ ମେଧାବୀ ଥିବା ରାମେଶ୍ୱର ପ୍ରଥମରୁ ଦଶମ ଶ୍ରେଣୀ ପାଠ ପଢ଼ିବା ପାଇଁ ସ୍ଥାନୀୟ ଅଞ୍ଚଳର ୪ଟି ବିଦ୍ୟାଳୟକୁ ଯାଇ ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ସେ ଦଶମ ଶ୍ରେଣୀ ବ୍ରହ୍ମପୁରର ରାଳବ ଠାରେ ଥିବା ସଂକଳ୍ପ ସିନିୟର ସେକେଣ୍ଡାରୀ ସ୍କୁଲରୁ ୯୪.୬ ପ୍ରତିଶତ ମାର୍କ ରଖି ପାଶ କରିଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ ଭୁବନେଶ୍ୱର ,ଚନ୍ଦ୍ର ଶେଖରପୁର ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲରୁ ୯୬.୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ସେ ଚଳିତ ବର୍ଷ ଗେଟ ପରୀକ୍ଷାରେ ସର୍ବଭାରତୀୟ ରାଙ୍କ ୩୭ ପାଇଥିବା ବେଳେ ସି.ଏସ.ଆଇ.ଆର ନେଟ ଜୁନିୟର ରିସର୍ଚ୍ଚ ଫେଲୋ ପରୀକ୍ଷା ରେ (୨୦୨୫) ସର୍ବଭାରତୀୟ ରାଙ୍କ ୩୪ ମଧ୍ୟ ପାଇଛନ୍ତି । ୨୦୨୫ ଏନବିଏଚଏମ ମାଷ୍ଟର୍ସ ଏବଂ ଡକ୍ଟରେଟ ସ୍କଲାରସିପ୍ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । ଏତଦବ୍ୟତୀତ ପରମାଣୁ ଶକ୍ତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଛାତ୍ରବୃତ୍ତି ମାଧ୍ୟମରେ ଆର୍ଥିକ ସହାୟତା ମଧ୍ୟ ୨୦୨୧-୨୬ପର୍ଯ୍ୟନ୍ତ ପାଇଛନ୍ତି । ନାଇଜରରେ ଲଗାତାର ୩ବର୍ଷ ୨୦୨୩/୨୪/୨୫ ପାଇଁ ସର୍ବୋତ୍ତମ ଶୈକ୍ଷିକ ପ୍ରଦର୍ଶନ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ଆଗାମୀ ଦିନରେ ବୀଜ ଗଣିତର ବିଭିନ୍ନ ବିଷୟ ଉପରେ ପିଏଚଡ଼ି କରିବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।ରାମେଶ୍ୱରଙ୍କ ବାପା ଏ.ମହେଶ୍ୱର ପାତ୍ର ଜଣେ ସାଧାରଣ ଔଷଧ ଦୋକାନୀ ହୋଇଥିବା ବେଳେ ମା ଜଣେ ଉଚ୍ଚ ଶିକ୍ଷିତ(ଉଦ୍ଭିଦ ବିଜ୍ଞାନ ସ୍ନାତକୋତ୍ତର) ସୁଗୃହିଣୀ ହେବା ସହ ଫାର୍ମାସିଷ୍ଟ ଡ଼ିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଈଶ୍ୱରଙ୍କ ସହ ବାପା ମାଙ୍କ ଆଶୀର୍ବାଦ , ଗୁରୁ ମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ଆଜି ସେ ଏହି ସ୍ତରରେ ପହଞ୍ଚି ପାରିଥିବା ରାମେଶ୍ୱର କହିଛନ୍ତି । ସୁନାପୁଅ ରାମେଶ୍ୱରର ଏହି ସଫଳତା ପାଇଁ ତାଙ୍କ ବାପା ମା ବେଶ ଖୁସି ଥିବା ବେଳେ ବେଲଗୁଣ୍ଠା ସହରବାସୀ ଏବଂ ବିଭିନ୍ନ ସାଙ୍ଗ ସାଥି ଓ ଚାରି ଆଡୁ ରାମେଶ୍ୱରଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି । ସ୍ଥାନୀୟ ନଗରପାଳ ଫିରୋଜ କୁମାର ସେଠୀ , ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ଓ ଅନ୍ୟାନ୍ୟ ବହୁ କାଉନସିଲର ଏବଂ ବୁଦ୍ଧିଜୀବୀ ରାମେଶ୍ୱରଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଛା ଜଣାଇବା ସହ ତାଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।