
ବେଲଗୁଣ୍ଠା/୧୬/୦୭ (ବିନାୟକ ଗୌଡ଼) ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ସଙ୍ଗମ ପବିତ୍ର ରଥଯାତ୍ରା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହୋଇ ଆସୁଥିବା ବେଳେ ବିଭିନ୍ନ ଅଭାବ ,ଅସୁବିଧା ଓ ସମସ୍ୟା ଯୋଗୁଁ ଦୀର୍ଘ ୩୪ ବର୍ଷ ଧରି ଶଗଡ଼ ଓ ଡାଲା ଅଟୋରେ ଦାରୁବ୍ରହ୍ମଙ୍କୁ ବିଜେ କରାଇ ରଥଯାତ୍ରା ସମ୍ପନ୍ନ ହେଉଥିଲା । ତେବେ କଳା ଠାକୁରଙ୍କ ଅପୂର୍ବ ମହିମା ,ଭକ୍ତଙ୍କ ଶ୍ରଦ୍ଧା ,ଭକ୍ତି,ସମର୍ପଣ ଓ ପ୍ରଶାସନିକ ସଦଇଛା ଯୋଗୁଁ ଦୀର୍ଘ ୩୪ବର୍ଷ ପରେ ଚଳିତ ବର୍ଷ ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଗୁରୁବାର ଦିନ ବେଲଗୁଣ୍ଠା ବ୍ଲକ, ବେଣୀପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣୀ ଆଶ୍ରମରେ ପୂଜା ପାଉଥିବା ବଡ଼ ଠାକୁର-କଳା ସାଆନ୍ତ ପଥମ ଥର ପାଇଁ କାଠରେ ନୂତନ ଭାବେ ନିର୍ମିତ ରଥରେ ରଥାରୂଢ଼ ହୋବା ପରେ ସମସ୍ତ ରୀତିନୀତି ପାଳନ ପୂର୍ବକ ବହୁ ଭକ୍ତଙ୍କ ସମାଗମରେ ଘୋଷଯାତ୍ରା ଉତ୍ସାହ ,ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ଧୂପ, ମଙ୍ଗଳାରୋପଣ ପରେ ସମସ୍ତ ରୀତିନୀତି ପାଳନ କରି ଚକା ନୟନଙ୍କୁ ପହଣ୍ଡି ବିଜେ କରି ସେବାୟତ ମାନେ ରଥାରୂଢ କରିଥିଲେ । ମହାବାହୁଙ୍କ ଉଦ୍ଧେଶ୍ୟରେ ନିର୍ମିତ ଟାହିୟାକୁ ପ୍ରଭୁଙ୍କୁ ଲାଗି କରାଯାଇଥିଲା । ଘଣ୍ଟ ଓ ମୃଦଙ୍ଗର ଶବ୍ଦରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରଥ ସମ୍ମୁଖରେ କୁନିଭକ୍ତଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଅନନ୍ୟ ଓ ଅଭୂତପୂର୍ବ ରହିଥିଲା। ୯ଦିନ ବ୍ୟାପି ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବ । ୯ଦିନର ଯାତ୍ରା ସମାପନ ପରେ ନୀଳାଦ୍ରି ବିଜେ ରତ୍ନ ସିଂହାସନକୁ ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ନିର୍ଦ୍ଧାରିତ ସମୟରେ ନନ୍ଦିଘୋଷଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଥିଲା । ପ୍ରଥମ ଥର ପାଇଁ ମାଧବରିଡା ଅଞ୍ଚଳର ଭକ୍ତ ମାନେ କଳା ଠାକୁରଙ୍କ ରଥାଟଣାର ଅଭୁଲା ଅନୁଭୂତି ସାଙ୍ଗକୁ ଭକ୍ତି ରସପାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ତ୍ରିବେଣୀ ଆଶ୍ରମର ମହନ୍ତ ସ୍ୱାମୀ ଚିଦାନନ୍ଦ ଦାଶ ମହାରାଜ, ବିଶ୍ୱହିନ୍ଦୁ ପରିଷଦର ପ୍ରଦେଶ ମାର୍ଗଦର୍ଶକ ମଣ୍ଡଳ ସଦସ୍ଯ ସ୍ବାମୀ ଭୂବନେଶାନନ୍ଦ ସରସ୍ବତୀ ଓରଫ ପ୍ରଶାନ୍ତ କୁମାର ପଣ୍ଡା, ଈଶ୍ୱର ପ୍ରେମୀ ଉତ୍ସାହି ଯୁବକ ସ୍ୱସ୍ତିସୁନ୍ଦର ସିଅ ,ବାବା ମଦନ ମୋହନ ନିତ୍ୟବର୍ଧନ ,ସ୍ଥାନୀୟ ସରପଞ୍ଚ ଦୁର୍ଗା ମାଧବ ନାୟକ, ଈଶ୍ୱର ପ୍ରେମୀ ଗୁପ୍ତେଶ୍ଵର ସୁବୁଦ୍ଧି ,ନିରଞ୍ଜନ ଲେଙ୍କା ପ୍ରମୁଖ ବିଶେଷ ସହଯୋଗ କରିଥିବା ବେଳେ ଗ୍ରାମବାସୀ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢ଼ି ପ୍ରଭୁଙ୍କ ଅପାର କରୁଣା ପାଇଁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।