“ଶିଳାନ୍ୟାସର ପଥର ଅଛି… କିନ୍ତୁ ସେତୁ କେଉଁଠି? ବିକାଶର ପୋଷ୍ଟର ଲାଗିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା ବଦଳିନି। ମେଣ୍ଡାଖାଇ ସେତୁକୁ ନେଇ ଏବେ ରାଜନୀତି ସରଗରମ। ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ କଂଗ୍ରେସ

ଚୌଦ୍ୱାର (ଶିବବ୍ରତ ଦାସ )ଦୀର୍ଘ ପାଞ୍ଚ ବର୍ଷ ତଳେ ବାଜା, ବାଣ ଓ ଭାଷଣ ଭିତରେ ହୋଇଥିଲା ମେଣ୍ଡାଖାଇ ସେତୁର ଶିଳାନ୍ୟାସ। ହେଲେ ଆଜି ବି ସେତୁର ଭାଗ୍ୟ ସେଇଠି ଅଟକିଛି। ଶିଳାଫଳକରେ ବିକାଶର ନାମ ଲେଖାଅଛି, କିନ୍ତୁ ମାଟିରେ କାମର ଚିହ୍ନ ଖୋଜିବାକୁ ପଡ଼ୁଛି।
ଏହି ପ୍ରସଙ୍ଗକୁ ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ସାଲେପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆକ୍ୟୁବ ଖାଁଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସଭାପତି ଆଶୁତୋଷ ବରାଳଙ୍କ ନେତୃତ୍ୱରେ କର୍ମୀମାନେ ଧାରଣା ଦେଇ ସରକାରଙ୍କ ବିରୋଧରେ ଜୋରଦାର ସ୍ଲୋଗାନ ଦେଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ସହ ଯୋଗ ଦେଇ କ୍ଷୋଭ ପ୍ରକାଶ କରିଥିଲେ। ପ୍ରତିବାଦକାରୀଙ୍କ ଅଭିଯୋଗ, ଡବଲ ଇଞ୍ଜିନ ସରକାର ବିକାଶର ବଡ଼ ବଡ଼ କାହାଣୀ ଶୁଣାଉଛନ୍ତି, କିନ୍ତୁ ମେଣ୍ଡାଖାଇ ସେତୁ ନିକଟକୁ ଆସିଲେ ସେହି କାହାଣୀର ଶେଷ ପୃଷ୍ଠା ମିଳୁନାହିଁ। ଅନ୍ୟପଟେ ବିଜେପି ବିଧାୟକ ପାର୍ଥୀ ଅରିନ୍ଦମ୍ ସାରା ନିର୍ବାଚନ ମଣ୍ଡଳୀକୁ ଫିଲ୍ମ ର ଏକ ଅଧ୍ୟାୟ ଭାବି ଲୋକଙ୍କ ନିକଟରେ ଡାଇଲଗ ମାରୁଥିବା ଚର୍ଚ୍ଚା ହେଉଛି। ଲୋକଙ୍କ ସମସ୍ୟା ହେଉ କିମ୍ବା ଅଞ୍ଚଳର ମୌଳିକ ସମସ୍ୟା କେବେ ହେଲେ ରାଜରାସ୍ତାକୁ ଓହ୍ଲାଇନାହାନ୍ତି ଏହି ଭାଷଣବାଜି ନେତା ତଥା ଅଭିନେତା ଅରିନ୍ଦମ୍ ରାୟ। ରାଜନୈତିକ ମଞ୍ଚରେ ଡାଇଲଗ ବହୁତ ଶୁଣିବାକୁ ମିଳୁଛି, କିନ୍ତୁ ଲୋକଙ୍କ ଦୁଃଖ ଦେଖିବାକୁ କେହି ଆସୁନାହାନ୍ତି ବୋଲି ସେମାନେ କହିଛନ୍ତି।
ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ, ବ୍ୟବସାୟୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି। ନିକଟରେ ରହିଛି ତିନୋଟି ଶିକ୍ଷାନୁଷ୍ଠାନ। ତଥାପି ବିପଦସଙ୍କୁଳ ସେତୁକୁ ନେଇ ପ୍ରଶାସନର ନିରବତା ଅନେକ ପ୍ରଶ୍ନ ଉଠାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଗାମୀ ୧୫ ଦିନ ମଧ୍ୟରେ କାମ ଆରମ୍ଭ କରି ଶୀଘ୍ର ଶେଷ କରିବାକୁ ଦାବି କରିଥିଲେ ପ୍ରତିବାଦକାରୀ। ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ଘଟଣା ସ୍ଥଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଟାଙ୍ଗୀ ଥାନା ଅଧିକାରୀ ବିକାଶ ସେଠି ଓ ଅନ୍ୟ କର୍ମଚାରୀ ପହଞ୍ଚିଥିଲେ।