
ଭଞ୍ଜନଗର ୧୮/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳରୁ ଭାୟା ଭଞ୍ଜନଗର ଦେଇ ଜିଲ୍ଲା ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦୁଇ ଜଣ ଯୁବକଙ୍କୁ ଭଞ୍ଜନଗର ପୁଲିସ କାବୁ କରିଛି। ଏହା ସହ ସେମାନଙ୍କ ଠାରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ସହ ଏକ କାର୍ ଜବତ କରାଯାଇଛି। ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧିନ ଇନ୍ଦ୍ରଗଡ ଗ୍ରାମର ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶନିବାର ଭଞ୍ଜନଗର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡ଼. ଦିପକ କୁମାର ମିଶ୍ର ସୁଚନା ଦେଇଛନ୍ତି।
ସୁଚନାନୁସାରେ, ଏସଆଇ ଲଷ୍ମୀଧର ମହାନ୍ତି ଭଞ୍ଜନଗର ଡହ ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ବିପରୀତ ପଟୁ ଏକ କାର ଦ୍ରୁତଗତିରେ ଆସୁଥିଲା। ପେଟ୍ରୋଲିଂ ଟିମ୍ କୁ ଦେଖି ଉକ୍ତ କାର ବୁଲାଇ ଯିବା ସମୟରେ ପୁଲିସ ର ସନ୍ଦେହ ହୋଇଥିଲା। ପେଟ୍ରୋଲିଂ ଟିମ୍ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ଦୁଇଟି ଜରି ବ୍ୟାଗ୍ ଭର୍ତ୍ତି ଗଞ୍ଜେଇ ବାହାରିଥିଲା। ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ଡ଼. ମିଶ୍ର କହିଛନ୍ତି।ସାମ୍ବାଦିକ ସମ୍ମିଳନୀ ଥାନା ଅଧିକାରୀ ଜିବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଲଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।