
ଭଞ୍ଜନଗର ୧୮/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଯାନବାହନ ଚେକିଂ ବେଳେ ଭଞ୍ଜନଗର ପୁଲିସକୁ ମାଉଜର ଦେଖାଇ ଧମକାଇବା ଅଭିଯୋଗରେ ପୁଲିସ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ଭୋଳା ନାହାକ, ଭାଗିରଥି ଗୌଡ, ବେଲାରସେନ୍ ସ୍ୱାଇଁ ଓ ବଂଶୀଧର ବିଷୋୟୀ। ଏହା ସହ ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି,୨ ଟି ବାଇକ୍ ଜବତ କରାଯାଇଥିବା ଶନିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡ଼. ଦିପକ କୁମାର ମିଶ୍ର ସୁଚନା ଦେଇଛନ୍ତି।
ସୁଚନାନୁସାରେ, ଶୁକ୍ରବାର ପୁର୍ବାହ୍ନ ସମୟରେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରେ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା। ସେହି ସମୟରେ ଗିରଫ ଚାରି ଅଭିଯୁକ୍ତ କନ୍ଧମାଳ ରୁ ଭଞ୍ଜନଗର ପଟକୁ ଆସୁଥିଲେ। ଏହି ସମୟରେ ପୋଲିସ ଗାଡି ଦେଖି ଅଭିଯୁକ୍ତ ମାନେ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ। ପୋଲିସ ସେମାନଙ୍କୁ ପିଛା କରି କାବୁ କରିବା ସମୟରେ ଅଭିଯୁକ୍ତ ମାନେ ପୋଲିସ କୁ ପାଲଟା ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହାପରେ ପୋଲିସ କୌଶଳ କ୍ରମେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନଙ୍କ ନାମରେ ଜିଲ୍ଲାର ଅନେକ ଥାନାରେ ହତ୍ୟା ଭଳି ବହୁ ଅପରାଧିକ ମାମଲା ଅଛି। ଏଥିସହ ଗଞ୍ଜେଇ ଚାଲାଣ ରେ ଅଭିଯୁକ୍ତ ମାନେ ମଧ୍ୟ ଜଡିତ ଅଛନ୍ତି। ସେମାନେ ଗଞ୍ଜେଇ ବ୍ୟବସାୟୀଙ୍କୁ ଏସ୍କର୍ଟ ଦେଇ ନେଉଥିଲେ।ଏନେଇ ୬୭୦/୨୬ରେ ଏକ ମାମଲା ରୁଜୁ କରି ସମସ୍ତ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଶନିବାର ଭଞ୍ଜନଗର ଥାନାରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡ଼. ମିଶ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ଲକ୍ଷ୍ମୀଧର ମହାନ୍ତି, ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।