ବିଜେପି ମୁହାଁ ବିଜେଡିର ତୁଙ୍ଗ ନେତା

ଭଞ୍ଜନଗର ୧୯/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଭାଜପା । ଉତ୍ତର ଓ ଉପକୂଳ ପରେ ଭାଜପା ଫୋକସରେ ରହିଛି ଦକ୍ଷିଣ ଓଡ଼ିଶା। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ବହୁ ନେତା ବିଜଦ ଛାଡୁଛନ୍ତି। ବ୍ଲକ୍‌ ସ୍ତରରେ ଏସବୁ ଚାଲିଥିଲା ବେଳେ ଏବେ ଜିଲ୍ଲା ରାଜନୀତି ହଲଚଲ ହୋଇଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ବିଜଦ ନେତା ତଥା ପୁର୍ବତନ ମନ୍ତ୍ରୀ ଭାଜପାରେ ମିଶିବାକୁ ଯାଉଛନ୍ତି। ଆପାତତଃ କଥାବାର୍ତ୍ତା ସରିଥିଲା ବେଳେ ବାହୁଡା ଯାତ୍ରା ପୁର୍ବରୁ କିମ୍ବା ପରେ ସେହି ନେତା ଜଣକ ବିଧିବଦ୍ଧ ଭାଜପାରେ ମିଶିବା ନେଇ ସଜବାଜ ହେଉଛନ୍ତି।

ଗତ ସାଧାରଣ ନିର୍ବାଚନ ପରଠୁ ଉତ୍ତର ଓଡ଼ିଶା- ଉପକୂଳ ଓଡ଼ିଶାରେ ବିଜଦ ଗଡ଼ ଭୁଶୁଡିବାରେ ଲାଗିଛି। ପ୍ରତିଦିନ ଧାଡ଼ି କରି ନେତା ଦଳ ଛାଡ଼ୁଛନ୍ତି। ଏବେ କିନ୍ତୁ ଭାଜପାର ଆଖି ଦକ୍ଷିଣ ଓଡ଼ିଶା ଉପରେ ପଡିଛି। ନବୀନଙ୍କ ନିର୍ବାଚନୀ ଜିଲ୍ଲା ଗଞ୍ଜାମକୁ ଭାଙ୍ଗିବା ପାଇଁ ଭିତରେ ଭିତରେ ଜୋରଦାର କସରତ ଚଳାଇଛି ଶାସକ ଭାଜପା। ସୂଚନା ଅନୁସାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ବିଜଦର ଟାଣୁଆ ଓ ଚର୍ଚ୍ଚିତ ଚେହେରାଙ୍କୁ ନିଜ ଆଡ଼କୁ ନେବାକୁ ପ୍ଲାନ ଚଳାଇଛି ଭାଜପା। ଯାହାକି ଭଞ୍ଜନଗରରୁ ଏହା ଶୁଭାରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି। ବାହୁଡା ଯାତ୍ରା ପରେ ମିଶନ୍ ଗଞ୍ଜାମ ଆଡ଼କୁ ଦଳ ଅଗ୍ରସର ହୋଇପାରେ। ବିଜଦର ଅସନ୍ତୁଷ୍ଟ ଥିବା ନେତାଙ୍କ ଉପରେ ଭାଜପା ଆଖି ପକାଇଛି। ସେପଟେ ପୁର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ପୁର୍ବତନ ବିଧାୟିକା ଲତିକା ପ୍ରଧାନ ବିଜଦ କାର୍ଯ୍ୟକ୍ରମରେ ଦେଖା ମିଳୁନାହାନ୍ତି। ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ଲାଗି ରହିଛି।

ବିକ୍ରମ କେଶରୀ ଆରୁଖ, ଛଅ ଛଅ ଥର ବିଧାୟକ, ଅନେକ ବାର ନବୀନଙ୍କ କ୍ୟାବିନେଟ ସହଯୋଗୀ। ଏକଦା ଗଞ୍ଜାମ ପଲିଟିକ୍ସର କ୍ରାଇସିସ ମ୍ୟାନେଜର। ହେଲେ ୨୦୨୪ ନିର୍ବାଚନ ହାରିବା ପରେ ବିଜଦ ରାଜନୀତିରୁ ଗାୟବ ହୋଇଯାଇଛନ୍ତି ବିକ୍ରମ। ବିଜଦର ପାଓ୍ବାରଫୁଲ ସଂସଦୀୟ ବ୍ୟାପାର କମିଟିରେ ଥିଲେ ବି ଗତ କିଛି ବୈଠକରେ ସାମିଲ ହେଉନାହାନ୍ତି। ଲାଗୁଛି ଯେମିତି ବିଜଦ ରାଜନୀତିରୁ ଦୂରେଇ ଯାଇଛନ୍ତି। ନିଜ ନିର୍ବାଚନମଣ୍ଡଳୀ ଭଞ୍ଜନଗରରେ ବି କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ବିକ୍ରମଙ୍କୁ ଦେଖାମିଳୁନି। ତାଙ୍କୁ ନେଇ ଗଞ୍ଜାମ ରାଜନୀତିରେ ଟୁପୁରୁଟାପୁର ଚାଲିଛି। ସେହିପରି ଆଉ ଏକ ଚେହେରା ହେଉଛନ୍ତି କବିସୂର୍ଯ୍ୟନଗରର ପୂବତନ ବିଧାୟିକା ଲତିକା ପ୍ରଧାନ। ୨୦୨୪ ବିପର୍ଯ୍ୟୟ ପରେ ଦଳର କିଛି କାର୍ପଟଦାର ଗୋଷ୍ଠୀଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ ଲତିକା। ତା ପରଠୁ ଦଳର କୌଣସି କାର୍ଯ୍ୟକ୍ରମରେ ସେ ଆଉ ଦେଖାଯାଉନାହାନ୍ତି। ଚର୍ଚ୍ଚା ହେଉଛି ବାହୁଡା ଯାତ୍ରା ପୁର୍ବରୁ କିମ୍ବା ପରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ଲତିକା। ନିକଟରେ ସୁଜାତାଙ୍କ ମିଶ୍ରଣ ପର୍ବରେ ମଧ୍ୟ ଏହି ଦୁଇ ନେତାଙ୍କ ଦେଖା ଦର୍ଶନ ନଥିଲା। ପରବର୍ତ୍ତି ସମୟରେ ବି ସୁଜାତାଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିନି।

ଏସବୁ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ବିଜଦ ନେତା ଦଳ ଛାଡ଼ିବେ। ଏନେଇ ସେ ଭାଜପାର ଶୀର୍ଷ ନେତୃତ୍ବ ସହ କଥା ହୋଇଛନ୍ତି | ବିଜଦ ସରକାରରେ ସେହି ନେତା ଜଣକ ଅତ୍ୟନ୍ତ ସୁବିଧାଜନକ ସ୍ଥିତିରେ ଥିଲେ। ଭଲ ପଦପଦବି ଦେଇ ଦଳ ତାଙ୍କୁ ଆପ୍ୟାୟିତ ବି କରିଥିଲା। ଗତ ନିର୍ବାଚନ ସମୟରେ ବି ତାଙ୍କୁ ଦଳ ସମ୍ମାନିତ କରି ବିଧାୟକ ଟିକେଟ ଦେଇଥିଲା। ନିର୍ବାଚନ ପରିଚାଳନାରେ ସେ ନେତୃତ୍ବ ନେଉଥିଲେ। ହେଲେ ଏବେ ଜିଲ୍ଲାରେ ଦଳର ବିଗିଡ଼ିବା ସ୍ଥିତି ଦେଖି ସେ ଦଳବଦଳ ଲାଗି ନିଷ୍ପତ୍ତି ନେଇଥିବା କୁହାଯାଉଛି! ଭୁବନେଶ୍ୱର ଦେଇ ଦିଲ୍ଲୀ ଗଲେ କାଳେ ଧରାପଡିଯିବ ସେଥିପାଇଁ ନେତା ଜଣକ ଭାୟା ରାଉରକେଲା ଦେଇ ଦିଲ୍ଲୀ ଯାଉଛନ୍ତି। ଆଉ ସେଠାରେ ଭାଜପାର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ରକ୍ଷାବନ୍ଧନ ପୁର୍ବରୁ ଯେକୌଣସି ସମୟରେ ସେ ଶୁଭ ମୁହୂର୍ତ୍ତ ଦେଖି ଭାଜପାରେ ସାମିଲ ହେବେ ବୋଲି ଜିଲ୍ଲା ସାରା ଚର୍ଚ୍ଚା ହେଉଛି।